କଟକ:କୋରୋନା ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇଲା ରାଜ୍ୟ । ରାଜ୍ୟରେ ଶୁଭାରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି । ବୁଧବାରଠୁ ରାଜ୍ୟର ତିନୋଟି କୋଭିଡ ମେଡିକାଲରେ ଉପଲବ୍ଧ ହେବ ପ୍ଲାଜମା ଥେରାପି ସେବା । ପ୍ଲାଜମା ଥେରାପି ପାଇଁ ଏସସିବି ହେବ ହବ ସେଣ୍ଟର । ତେବେ ଏହି ସେବା ସମ୍ପୂର୍ଣ୍ଣ ମାଗଣା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କୋରୋନା ଆକ୍ରାନ୍ତଙ୍କୁ ମାଗଣାରେ ପ୍ଲାଜମା ଥେରାପି ଦିଆଯିବ । ତେବେ ରାଜ୍ୟରେ କ୍ରମାଗତ ଭାବେ କୋରୋନା ଆକ୍ରାନ୍ତ ବଢି ଚାଲିଥିବା ବେଳେ କୋରୋନାକୁ ହରାଇବାରେ ପ୍ଲାଜମା ଥେରାପି ବଡ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ କୋରୋନା ରୋଗୀଙ୍କୁ ବଞ୍ଚାଇବାରେ ପ୍ଲାଜମା ଥେରାପି ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଦଘାଟନୀ ଅବସରରେ ପ୍ଲାଜମା ଦାନ ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜମା ଥେରାପି ଅନେକ ପ୍ରଭାବଶାଳୀ ହେବ ।