କଟକ: ଡାକ୍ତରଙ୍କ ଅବହେଳା ଯୋଗୁଁ ଏସସିବିରେ ଚାଲିଗଲା ଜଣେ ରୋଗୀର ଜୀବନ। ଏନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ପରେ ଆରମ୍ଭ ହୋଇଛି ଏହାର ତନାଘନା। ଘଟଣାର ତଦନ୍ତ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଏସସିବିର ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲାବେଳେ ୩ ଦିନ ଭିତରେ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଜଣେ ରୋଗୀଙ୍କ ଜୀବନ ! ଗତ ବର୍ଷ ଡିସେମ୍ବର ୨୦ ତାରିଖରେ ସାବିତ୍ରୀ ସାହୁ ନାମକ ଜଣେ ମହିଳା ମାନସିକ ଭାରସାମ୍ୟ ହରାଇ ଏସସିବିର ମାନସିକ ୱାର୍ଡକୁ ଆସିଥିଲେ । ତେବେ ଡାକ୍ତର ତାଙ୍କୁ ଚିକିତ୍ସା ନକରି ନ୍ୟୁରଲୋଜି ବିଭାଗକୁ ପଠାଇଥିଲେ। ଏହାପରେ ଗତ ଡିସେମ୍ବର ୨୬ ତାରିଖରେ ସିଟି ସ୍କାନ କରିବାପରେ ନ୍ୟୁରଲୋଜି ବିଭାଗରେ ଆଡ଼ମିଶନ ହୋଇଥିଲେ।
ଡିସେମ୍ବର ୨୬ ରୁ ୨୮ ତାରିଖ ସାବିତ୍ରୀଙ୍କୁ ସାଲାଇନ ଦେଇଥିଲେ ଡାକ୍ତର। ତେବେ ଡିସେମ୍ବର ୨୮ ତାରିଖରେ ତାଙ୍କର ହାତ ହଠାତ୍ ଫୁଲିଥିଲା। ଦିନକୁ ଦିନ ଏହା ଅଧିକ ଭାବେ ଫୁଲିଥିଲା। ଏନେଇ ସାବିତ୍ରୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଜଣାଇଥିଲେ। ମାତ୍ର ଡାକ୍ତର ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଏହାର ଚିକିତ୍ସା କରିବା ପରିବର୍ତ୍ତେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଗାଳି ଗୁଲଜ କରିଥିଲେ।
ଏନେଇ ଯେତେ ନେହୁରା ହେଲେବି ଡାକ୍ତର ଶୁଣି ନଥିଲେ। ତେବେ ଏହି ଅଭିଯୋଗ ନେଇ ରୋଗୀଙ୍କ ସମ୍ପର୍କୀୟ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ଅଭିଯୋଗ କରିଥିଲେ। ଏଥିରେ ଫଳପ୍ରଦ ନହେବାରୁ ମୋ ସରକାରଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଏନେଇ ଅଧିକ୍ଷକଙ୍କୁ ଜଣାଇବାପରେ ଅଧିକ୍ଷକ ଏହାର ଚିକିତ୍ସା ପାଇଁ ୮ ଜଣିଆ ଟିମ ଗଠନ କରିଥିଲେ।
କିନ୍ତୁ ଯାହାକି ବିଳମ୍ବ ହୋଇଯାଇଥିଲା। ଶେଷରେ ବୁଧବାର ଆଖି ବୁଜିଛନ୍ତି ସାବିତ୍ରୀ। ଡାକ୍ତରଙ୍କ ଅବହେଳା ଯୋଗୁଁ ସାବିତ୍ରୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ସାବିତ୍ରୀଙ୍କ ପୁଅ କୃଷ୍ଣ ଚନ୍ଦ୍ର ସାହୁ। ଏନେଇ କୃଷ୍ଣଚନ୍ଦ୍ର ସ୍ବାସ୍ଥମନ୍ତ୍ରୀଙ୍କୁ ଭେଟି ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ଏହାକୁ ଗୁରୁତ୍ବ ସହ ନେଇ ଘଟଣାକୁ ଦୁଖଃଦାୟକ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ମନ୍ତ୍ରୀ ଏସସିବି ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ଭିତରେ ଏହାର ତଦନ୍ତ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ