କଟକ: ପ୍ରତ୍ୟେକ ଦିନ ଖବର କାଗଜରେ ହେଉ କିମ୍ବା ଟେଲିଭିଜନ ମାଧ୍ୟମରେ ହେଉ ପିତାମାତାଙ୍କୁ ଅଣଦେଖାର ଚିତ୍ର ସମ୍ନାକୁ ଆସିଥାଏ । ଯାହା ସମସ୍ତଙ୍କୁ କରିଥାଏ ବ୍ୟଥିତ । କିନ୍ତୁ ସିଲଭରସିଟିରେ ତାହାର ଠିକ ଓଲଟା ଚିତ୍ର ସମ୍ନାକୁ ଆସିଛି । ଉତ୍ତମାପୁର ଅଞ୍ଚଳରେ ଥିବା ପଟ୍ଟନାୟକ ପରିବାର ଓଡିଶା ପାଇଁ ସାଜିଛି ଏକ ଅନନ୍ୟ ଉଦାହରଣ । ପରିଣତ ବୟସରେ ପାଦ ଦେଇଥିବା ପିତାମାତାଙ୍କୁ ଭଗବାନଙ୍କ ଭଳି ସେବା କରୁଛନ୍ତି । ସମସ୍ତ ସେବା ଠୁ ଆରମ୍ଭ କରି ଜନ୍ମଦିନ ଓ ବିବାହ ବାର୍ଷିକୀକୁ ବେଶ ଧୁମଧାମରେ ପାଳନ କରନ୍ତି ସମସ୍ତ ପିଲାମାନେ ।
ସିଲଭରସିଟିର ଭାଗ୍ୟବାନ ପିତାମାତା । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଆପଣ ଜାଣିଲେ ମଧ୍ୟ ଖୁସିରେ ହୋଇପଡିବେ ଆତ୍ମହରା । କଟକ ଉତ୍ତମାପୁରରେ ରହିଛି ଏପରି ଏକ ପରିବାର ଯାହା ସାରା ଓଡିଶାକୁ ଦେଉଛି ସୁବାର୍ତ୍ତା । ବାପା ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ବୟସ 94 ଓ ମାତା ଅନୁସୟାଙ୍କ ବୟସ 88 ବର୍ଷ । 1955 ମସିହା ଫ୍ରେବୁଆରୀ ମାସ 15 ତାରିଖ ବିବାହ ପରେ ନିଜର ସ୍ବତନ୍ତ୍ର ଆଦର୍ଶ ଗଢ଼ିଥିଲେ ଶରତ ଅନୁସୟା । ସମୟ ଗଡ଼ିବା ସହିତ ନିଜ ପରିବାରକୁ ମଧ୍ୟ ବେଶ ସୁଚାର ରୂପେ ଗଢ଼ିଥିଲେ ଉଭୟେ । ଯାହା ଅଞ୍ଚଳବାସୀଙ୍କ ପାଇଁ ଏକ ଆଦର୍ଶର କେନ୍ଦ୍ରବିନ୍ଦୁ । ଏହାରି ଭିତରେ ବିତି ଯାଇଛି 66 ବର୍ଷ । ପରିଣତ ବୟସରେ ମଧ୍ୟ ଉପନୀତ ହୋଇଛନ୍ତି ଉଭୟେ । କିନ୍ତୁ ଏହି ବୟସର କଷ୍ଟ ଲିଭି ଯାଇଛି ପିଲା ମାନଙ୍କ ଭଲ ପାଇବା ଓ ସ୍ନେହ ଆଦର ମଧ୍ୟରେ। ନିଜ ପିଲା ମାନଙ୍କ ଏପରି ଆଚରଣ ପାଇଁ ଉଭୟେ ବେଶ ଗର୍ବିତ। କାରଣ ବର୍ତ୍ତମାନ ସମୟରେ କିଛି ପିଲା ମାନେ ନିଜର ପିତାମାତାଙ୍କ ପରିଣତ ବୟସକୁ ବୋଝ ବୋଲି ଭାବି ନିଜଠୁ ଦେଇଥାନ୍ତି ଦୁରେଇ । ସେହି ସମୟରେ ଅନେକ କରୁଣର ଚିତ୍ର ସମ୍ନାକୁ ଆସିଥାଏ । ଏମିତି ପ୍ରିତିହିତ ହୁଏ ଯେପରି ସନ୍ତାନ ଜନ୍ମ କରିବା କଣ ପାପ । କିନ୍ତୁ ଏହାରି ଭିତରେ ପଟ୍ଟନାୟକ ପରିବାରର ଅନାବିଳ ଭଲ ପାଇବା ପିତୃ ମାତୃ ଭକ୍ତି ନିଶ୍ଚୟ ରୂପେ ନିଜ ପରିବାର ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛି ।