କଟକ: ବାତ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା ଅଧିକାରୀ ଏବଂ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ବଚସା । 2 ଶିଳ୍ପଦ୍ୟୋଗୀଙ୍କୁ ଗିରଫ କରାଯିବା ଘଟଣାକୁ ଜଗତପୁର ଶିଳ୍ପଦ୍ୟୋଗୀ ସଙ୍ଘର ପ୍ରବଳ ବିରୋଧ । ଓଡିଶା କ୍ଷୁଦ୍ର ଶିଳ୍ପଦ୍ୟୋଗୀ ସଙ୍ଘ ମଧ୍ୟ ଶିଳ୍ପଦ୍ୟୋଗୀଙ୍କୁ ସମର୍ଥନ ଜଣାଇଛି । ସେପଟେ ଗିରଫ ଦୁଇ ଶିଳ୍ପଦ୍ୟୋଗୀଙ୍କୁ ବେଲ ମିଳିଥିବା ଜଣାପଡିଛି ।
ସୂଚନା ମୁତାବକ, ମଙ୍ଗଳବାର ଜଗତପୁର ଶିଳ୍ପାଞ୍ଚଳକୁ ‘ଫନି’ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିଲେ ସରକାରୀ ଅଧିକାରୀ । ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଏଲ.ଏନ୍ ଗୁପ୍ତା ଏବଂ ଅନ୍ୟ କିଛି ଅଧିକାରୀ ଶିଳ୍ପାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । କିଛି ଶିଳ୍ପୋଦ୍ୟୋଗୀ ଶିଳ୍ପାଞ୍ଚଳରେ ପହଞ୍ଚି ସଚିବଙ୍କୁ ସ୍ଥାନୀୟ ଅଞ୍ଚଳର ଅନ୍ୟ କିଛି ଦୟନୀୟ ଚିତ୍ର ଦେଖାଇବାକୁ ଚାହିଁଥିଲେ । ହେଲେ ସଚିବ ରାଜି ନ ହେବାରୁ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଡି ଚାବି ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ଏପରିକି ତାଙ୍କୁ ଆଉ ଏକ ଗାଡିରେ ବସାଇ ସଙ୍ଘ କାର୍ଯ୍ୟାଳୟକୁ ଜୋର୍ଜବରଦସ୍ତ ନେଉଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଆକଳନ କରିବାକୁ ଆସିଥିବା ଅଧିକାରୀ । ପରେ ପୋଲିସ ଶିଳ୍ପଦ୍ୟୋଗୀ ସଙ୍ଘର ଦୁଇ ସଦସ୍ୟଙ୍କୁ ଗିରଫ କରିଥିଲା। ଯାହାକୁ ବିରୋଧ କରିଛି ସଙ୍ଘ ।