କଟକ: ଦିନକ ପରେ ମାଟ୍ରିକ ପରୀକ୍ଷା ଦେବେ ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ପରୀକ୍ଷା ଏବଂ ପ୍ରଶ୍ନପତ୍ର ପ୍ରସ୍ତୁତି ନେଇ ସମ୍ୟକ ଆଲୋଚନା କଲା ବୋର୍ଡ । ଆଜି (ବୁଧବାର) ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି ।
ପୋଲିସ ଷ୍ଟେସନରେ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି । ଦୁଇବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ । ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ରହିଛନ୍ତି । ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି ।