କଟକ/ଭୁବନେଶ୍ବର/ଭଞ୍ଜନଗର/ଭଦ୍ରକ: ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଧିରେ ଧିରେ ତେଜିବାରେ ଲାଗିଛି ବିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମୂଲ୍ୟାଙ୍କନକୁ ନେଇ ଅସନ୍ତୋଷ ବ୍ୟକ୍ତି କରି ରାସ୍ତା ଅବରୋଧ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ବୋର୍ଡକୁ ଦେଇଥିବା ମାର୍କରୁ ପ୍ରାୟ 10ରୁ 15 ପ୍ରତିଶତ ମାର୍କ କମ ରହିଥିବା ପିଲାମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବୋର୍ଡଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ନାରାବାଜୀ କରିଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କ ଦାବି ପୂରଣ ନ ହେଲେ ବୋର୍ଡ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆତ୍ମାହୁତି ଦେବେ ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି । ସେପଟେ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପୁଣି ଅନଲାଇନରେ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ବୋର୍ଡ ସଭାପତି ରମାସିସ ହାଜରା ।
ଫଳାଫଳକୁ ନେଇ ଭଦ୍ରକ, ଗଞ୍ଜାମ, ଭୁବନେଶ୍ବର, ପୁରୀ ଆଦି ଅଞ୍ଚଳରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ଭଦ୍ରକ ପୁରୁଣା ବଜ଼ାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି(ସୋମବାର) ଅଭିଭାବକ ଓ 30ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି କ୍ଷୋଭ ପ୍ରକାଶ କରିବା ସହିତ ପରୀକ୍ଷା ଫଳ ବଢାଇବକୁ ଦାବି କରିଛନ୍ତି । ଏହି ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ବିଗତ ସମସ୍ତ ପରୀକ୍ଷାରେ 90 ଶତାଂଶ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ 70 ଶତାଂଶ ମାର୍କ କିଭଳି ଆସିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ସ୍କୁଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଚଳିତ ବର୍ଷ ଦଶମ ଶ୍ରେଣୀର ଇଣ୍ଟରନାଲ ପରୀକ୍ଷା ଫଳ ଓ ନବମର ଟେଷ୍ଟ ଏବଂ ବାର୍ଷିକ ପରୀକ୍ଷା ଫଳକୁ ମିଶାଇ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ରେଜଲ୍ଟ । ରେକର୍ଡ ସଂଖ୍ୟକ 97.89 ପ୍ରତିଶତ ପାସ୍ ହାର୍ ରହିଥିଲା । ତେବେ ଅସନ୍ତୋଷର ପ୍ରଭାବ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି । ଦଶମରେ ଫେଲ ହୋଇଥିବା ଶତାଧିକ ପିଲାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଫେଲ ହୋଇଥିବା ପିଲାଙ୍କୁ ସମସ୍ତଙ୍କୁ ପାସ କରାଯାଉ ବୋଲି ଦାବି ହୋଇଛି । କମ ନମ୍ବର ପାଇଥିବା ଅଭିଯୋଗ କରି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରତିବାଦ କରିଛନ୍ତି । ପରୀକ୍ଷା ଫଳରେ ତ୍ରୁଟି ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ସାଇ ଆବାସିକ ବିଦ୍ୟାଳୟରେ ପଢୁଥିବା ୭୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଅପ୍ରକାଶିତକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ଏହି ସ୍କୁଲର ଛାତ୍ରଛାତ୍ରୀ ଏକ ଲେମ୍ଭେଇ ସରକାରୀ ବିଦ୍ୟାଳୟର ଅଧୀନରେ ପରୀକ୍ଷା ଦେଇଆସୁଥିଲେ । କିନ୍ତୁ ଚଳିତ ବର୍ଷ କୌଣସି କାରଣ ବଶତଃ ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରେସପଣ୍ଡେଣ୍ଟ କୋର୍ସ ମାଧ୍ୟମରେ ଫର୍ମ ଫିଲ ଅପ୍ କରିଥିବା ହେତୁ ସେମାନଙ୍କ ମାର୍କ ବାହାରିନି । ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟର ଫଳ ପ୍ରକାଶ ପାଇଥିବା ବେଳେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ବାଦ ପଡିଛନ୍ତି । ଏହି ପରିସ୍ଥିତିକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସୋମବାର ଭଂଜନଗର ଉପଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଅନ୍ୟପଟେ ଉପଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ କରାଯାଇ ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ ।
ସାରା ରାଜ୍ୟରେ ଅସନ୍ତୋଷ ଦେଖାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି ରମାସିସ ହାଜରା । ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି । ବିଦ୍ୟାଳୟ ପକ୍ଷରୁ ପିଲାଙ୍କ ମାର୍କ ଅଧିକା ଦିଆଯାଇଥିଲା । ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ଅଲଟରନେଟିଭ ମୋର୍ଡ ଅଫ ଆସେସମେଣ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ଅନୁସାରେ ଫଳାଫଳ ବାହାରିଛି । ସ୍କୁଲ ଦେଇଥିବା ମାର୍କକୁ ଅନେକ ଥର ଭେରିଫିକେସନ କରାଯାଇ ଫଳାଫଳ ବାହାରିଛି । ଏଣୁ ମୂଲ୍ୟାୟନରେ କୌଣସି ତ୍ରୁଟି ନାହିଁ । ଅସନ୍ତୁଷ୍ଟ ବ୍ୟକ୍ତ କରୁଥିବା ପିଲାମାନେ ପୁଣି ଥରେ ଅନଲାଇନରେ ପରୀକ୍ଷା ଦେଇପାରିବେ ବୋଲି ସେ କହିଛନ୍ତି । ଏପଟେ ଫଳାଫଳକୁ ନେଇ ଧିରେ ଧିରେ ତେଜିବାରେ ଲାଗିଛି ରେଜଲ୍ଟ ତାତି । ଦେବେ ଦେଖିବାକୁ ବାକି ରହିଲା ବିଭାଗ ଏନେଇ କ'ଣ ପଦକ୍ଷେପ ନେଉଛି ।
କଟକରୁ ନାରାୟଣ ସାହୁ, ଭୁବନେଶ୍ବରରୁ ବିକାଶ କୁମାର ଦାସ, ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ