ଓଡିଶା

odisha

ETV Bharat / city

୯ ମାସ ଧରି ସ୍କୁଲରେ ନାହିଁ ବିଦ୍ୟୁତ୍‌; ବିଲ୍‌ ହେଲାଣି 14 ଲକ୍ଷ

କଟକ ସହରର 33 ନମ୍ବର ୱାର୍ଡରେ ଥିବା ଥୋରିଆ ସାହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ 9 ମାସ ହେବ ବିଦ୍ୟୁତ୍‌ ନାହିଁ । ତେବେ ବିଲ୍‌ ହେଲାଣି 14 ଲକ୍ଷ । ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଡିଜାଇନ ଫଟୋ

By

Published : Oct 29, 2019, 11:27 PM IST

କଟକ: ଛାତ୍ରଛାତ୍ରୀମାନେ ସ୍କୁଲରେ ସୁସ୍ଥ ମାନସିକତାରେ ପାଠ ପଢିବେ। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରାଯାଉଛି। ମାତ୍ର କଟକ ମହାନଗର ନିଗମରେ ଏମିତି ଏକ ସ୍କୁଲ ଅଛି ଯେଉଁଠି ବିନା ବିଦ୍ୟୁତରେ ଚାଲିଛି ପାଠପଢା । କହିବାକୁ ଗଲେ ସ୍କୁଲରେ ଶତାଧିକ ଛାତ୍ରୀ ମାନଙ୍କୁ ମୌଳିକ ସେବା ଯୋଗାଇବାରେ ବିଫଳ ପ୍ରଶାସନ। ଦୀପ ତଳ ଅନ୍ଧାର ପରି ଥୋରିଆ ସାହିରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏପରି ଅବସ୍ଥା ରହିଛି। ତେବେ ଆସନ୍ତୁ ଦେଖିବା ଇଟିଭି ଭାରତର ଏହି ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

୯ ମାସ ଧରି ସ୍କୁଲରେ ନାହିଁ ବିଦ୍ୟୁତ୍‌; ବିଲ୍‌ ହେଲାଣି 14 ଲକ୍ଷ

ବିନା ବିଦ୍ୟୁତରେ ଚାଲିଛି ପାଠପଢା। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ କଟକ ସହରର 33 ନମ୍ବର ୱାର୍ଡରେ ଥିବା ଥୋରିଆ ସାହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୯ ମାସରୁ ଉର୍ଦ୍ଧ୍ବ ହେଲାଣି ସ୍କୁଲରେ ବିଦ୍ୟୁତ୍‌ ନାହିଁ । କରେଣ୍ଟ ନଥିବାରୁ ସ୍କୁଲକୁ ପାଣି ଆସୁନି । ଗୋଟିଏ ନଳକୂପ ଥିଲେ ବି ତା ପାଣି ବ୍ୟବହାର ଯୋଗ୍ୟ ନୁହେଁ । ଫଳରେ ପିଇବା ପାଣି ପାଉନାହାନ୍ତି ଏମାନେ । ଖାଲି ସେତିକି ନୁହେଁ ଟାଙ୍କିରେ ପାଣି ନଥିବାରୁ ଟଏଲେଟ ବି ଯାଇପାରୁ ନାହାନ୍ତି ଶତାଧିକ ଛାତ୍ରୀ । ପାଠପଢିଲା ବେଳେ ଗରମରେ ସିଝି ସିଝି କ୍ଳାସରେ ବସିବାକୁ ପଡୁଛି। ଯେଉଁଥିଲାଗି ଅନେକ ଛାତ୍ରୀ ସ୍କୁଲରୁ ମୁହଁ ଲେଉଟାଇଲେଣି।

ସେପଟେ ଏହି ବିଦ୍ୟାଳୟଟି ପ୍ରଥମେ ସିଏମସି ଅଧିନରେ ଥିଲା । ସେବେଠୁ ସ୍କୁଲର ବିଦ୍ୟୁତ ଦେୟ ବିଲ୍‌ ଏକଜିକ୍ୟୁଟିଭ ଅଫିସରଙ୍କ ନାମରେ ଆସୁଥିଲା । ହେଲେ ପରବର୍ତ୍ତୀ ସମୟରେ ବିଦ୍ୟାଳୟଟି ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ଅଧୀନକୁ ଆସିଥିଲେ ବି ବିଦ୍ୟୁତ ଦେୟର ଠିକଣା ବଦଳି ନଥିଲା । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ବିଦ୍ୟୁତ ଦେୟର ଠିକଣା ହେବା ପରିବର୍ତ୍ତେ ଚିରାଚରିତ ଭାବେ ଏକଜିକ୍ୟୁଟିଭ ଅଫିସରଙ୍କ ନାମରେ ବିଲ ଆସୁଛି। ଯେଉଁ ପୋଷ୍ଟକି ଏବେ ଆଉ ନାହିଁ । ଫଳରେ ବିଦ୍ୟୁତ ଦେୟ ଦିଆଯାଇପାରୁନାହିଁ। ଯେଉଁଥି ଲାଗି ବିଦ୍ୟୁତ୍‌ ବିଭାଗ ବିଦ୍ୟୁତ୍‌ କାଟି ଦେଇଛି । ତେବେ ବିଦ୍ୟୁତ୍‌ କାଟି ଦିଆଯାଇଥିଲେ ବି ମାସକୁ ମାସ ବିଲ ବଢି 14 ଲକ୍ଷ 15 ହଜାର ଟପିଲାଣି । ଏନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଲେ ବି ଫଳ ଶୂନ ରହିଛି ।

ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଉଛି, ମାତ୍ର ସାମାନ୍ୟ ତ୍ରୁଟିର ସାମାଧାନ ପାଇଁ କାହାର ନଜର କେମିତି ପଡୁନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details