କଟକ: କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆୟକର ଆପିଲେଟ ଟ୍ରିବ୍ୟୁନାଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ଆୟକର ବିବାଦ ସଂପର୍କରେ ଓଡିଶାର ସର୍ବୋଚ୍ଚ ପ୍ରାଧୀକରଣ ଭାବେ କାମ କରିବ । ଏହାଦ୍ବାରା ସହଜରେ ଆୟକର ନେଇ ରାଜ୍ୟ ଭିତରେ ଉପୁଜୁଥିବା ବିବାଦର ଶୀଘ୍ର ସମାଧାନ ହୋଇପାରିବ ।
କଟକ CDA ସେକ୍ଟର 6ରେ ଆୟକର ବିଭାଗର ଏହି ନବନିର୍ମିତ ଆପିଲେଟ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। କଟକର ଏହି ଟ୍ରିବ୍ୟୁନାଲ ବେଞ୍ଚ 1970 ମସିହାରୁ କାର୍ଯ୍ୟକ୍ଷମ ରହିଥିଲା। ତେବେ ଏହା ପୂର୍ବରୁ ଏକ ଭଡ଼ା ଘରେ ଏହି ଆପିଲେଟ ଟ୍ରିବ୍ୟୁନାଲ କାର୍ଯ୍ୟ କରୁଥିଲା। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଏହି ନୂଆ ଅଟ୍ଟାଳିକାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, "କଟକର ଏହି ବେଞ୍ଚରେ କେବଳ ଓଡ଼ିଶା ନୁହେଁ ବରଂ ପୂର୍ବ ଭାରତର ଅନେକ ରାଜ୍ୟର ଆୟକର ସମ୍ବନ୍ଧିତ ମାମଲାର ବିଚାର ହୋଇପାରିବ। ଏହାଛଡ଼ା ଏହି ଟ୍ରିବ୍ୟୁନାଲ ବେଞ୍ଚ ଯୋଗୁଁ ପୂର୍ବ ଭଳି ରିଫଣ୍ଡ ପାଇଁ କରଦାତାଙ୍କୁ ଅପେକ୍ଷା କରିବାକୁ ପଡ଼ୁନାହିଁ। ସ୍ବଳ୍ପ ଦିନ ମଧ୍ୟରେ କରଦାତା ନିଜର ରିଫଣ୍ଡ ପାଇ ପାରୁଛନ୍ତି। ଏହି ବ୍ୟବସ୍ଥା ଯୋଗୁଁ କର ସଂଗ୍ରହ କ୍ଷେତ୍ରରେ ଏବେ ଅନେକ ସୁଧାର ଆସିଛି।"