କଟକ: ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲ ଓ ଏହାର କାର୍ଯ୍ୟଶେଳୀ ଉପରେ ପ୍ରଶ୍ନ ଉଠାଇଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଟ୍ରିବ୍ୟୁନାଲ କୌଣସି ଠୋସ୍ ଅନ୍ତରୀଣ ନିର୍ଦ୍ଦେଶ ଦେଉନଥିବାରୁ ମହାନଦୀ ଜଳ ବିବାଦ ସମାଧାନ ଦିଗକୁ ଆଗଉ ନାହିଁ । ଅନ୍ୟପଟେ ଜଳ ସମ୍ପଦ ଦୃଷ୍ଟିରୁ ଓଡିଶା କ୍ଷତିଗ୍ରସ୍ତ ହେବାରେ ଲାଗିଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯୋଗ କରିଛି । ଏନେଇ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି(ଶନିବାର) କଟକ ସମେତ ରାଜ୍ୟର ଏକାଧିକ ସ୍ଥାନରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଜଳ ସତ୍ୟାଗ୍ରହ କରିଛି ।
ଛତିଶଗଡ ଓ ଓଡିଶା ମଧ୍ୟରେ ଉପୁଜିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଗତ ତିନି ବର୍ଷ ହେବ ଟ୍ରିବ୍ୟୁନାଲରେ ଚାଲିଛି । ମାତ୍ର ଗତ ତିନି ବର୍ଷ ଭିତରେ କଲମା ବ୍ୟାରେଜ ଯୋଗୁଁ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି । ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ଏଥିପାଇଁ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲକୁ ଦାୟୀ କରିଛି । ଟ୍ରିବ୍ୟୁନାଲ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି କଟକ ସମେତ ଏକାଧିକ ସ୍ଥାନରେ ଜଳ ସତ୍ୟାଗ୍ରହ କରାଯାଇଛି ।