ହାଇଦ୍ରାବାଦ:ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ଚଉଁରା ମୂଳରେ ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ, ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି ।
ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗ କରାଯାଏ। ଖାଲି ମନ୍ଦିର କାହିଁକି, ଓଡିଆ ଘରର ସମସ୍ତଙ୍କ ଘରେ ଭଳିକି ଭଳି ପଣା ପ୍ରସ୍ତୁତ ହୋଇଥାଏ । ଘରକୁ ଯିଏ ଆସିଲେ ବି ତାଙ୍କୁ ପ୍ରଥମେ ପଣା ପିଇବାକୁ ଦିଆଯାଏ । ଏହି ଦିନ ପ୍ରାୟତଃ ସମସ୍ତଙ୍କ ଘରେ ପଣାର ଆସର ଜମିଥାଏ। ବୁଟ ଛତୁଆ, ବେଲ ପଣା, ଦହି ପଣା, ଚୁଡା ପଣା, କ୍ଷୀର ପଣା, ଫଳ ପଣା ଭଳି ବିଭିନ୍ନ ପଣା ତିଆରି ହୋଇଥାଏ । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ 'ପଣାସଂକ୍ରାନ୍ତି' ବୋଲି ମଧ୍ୟ କୁହାଯାଏ ।
ଓଡିଆ ଘରେ ଭଳିକି ଭଳି ପଣା ତିଆରି କରାଯାଏ। ସେଥିମଧ୍ୟରେ ରହିଛି ବେଲ ପଣା, କ୍ଷୀର ପଣା, ଦହି ପଣା, ଶାଗୁ ପଣା, ଫଳ ପଣା ଓ ଛେନା ପଣା । ଏହି ସମସ୍ତ ପଣା ପାଟିକୁ ଯେତିକି ସୁଆଦିଆ ଲାଗିଥାଏ, ତାହା ଠାରୁ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର । ଆଜିର ଏହି ପବିତ୍ର ଦିନରେ ଏଭଳି ପଣା ପ୍ରସ୍ତୁତ କରି ସମସ୍ତଙ୍କୁ ଖୁଆନ୍ତୁ, ତେବେ ଚାଲନ୍ତୁନା ଜାଣିବା ଏହି ସ୍ବାଦିଷ୍ଟ ପଣା ସମ୍ପର୍କରେ ଅଳ୍ପ ବହୁତ.....
ଛତୁଆ ପଣା: ପଣା ସଂକ୍ରାନ୍ତିରେ ବିଶେଷତଃ ଛତୁଆ ପଣା ପ୍ରସ୍ତୁତ କରାଯାଏ । ସଂକ୍ରାନ୍ତିର ଠିକ୍ 15 ଦିନ ପୂର୍ବରୁ ଗହମ, ବୁଟ, ଅରୁଆ ଚାଉଳ, ବାଦାମ, କାଜୁ ଇତ୍ୟାଦି ଭଜା ହୋଇଥାଏ । ଏହାପରେ କଳରେ ଫେସା ହୋଇ ଛତୁଆ ପ୍ରସ୍ତୁତ କରାଯାଏ। ଫେସା ହୋଇ ଆସିବା ପରେ ଛତୁଆ ଗୁଣ୍ଡର ବାସ୍ନା ଘର-ଦ୍ବାର ମହକାଇ ଦେଇଥାଏ । ପଣା ସଂକ୍ରାନ୍ତି ଦିନ ଏହି ଛତୁଆରେ ନିଜ ମନ ମୁତାବକ ସାମଗ୍ରୀ ମିଶାଇ ଏହାକୁ ସୁଆଦିଆ କରିପାରିବେ ।
କେମିତି ପ୍ରସ୍ତୁତ କରିବେ ଛତୁଆ...
ପ୍ରଥମେ ଛତୁଆ ଗୁଣ୍ଡରେ ଅଳ୍ପ କିଛି କ୍ଷୀର ଦେଇ ଗୋଳାଇ ଦିଅନ୍ତୁ । ପରେ ଏଥିରେ ଦହି ଓ ଚିନି ପକାଇ ଦିଅନ୍ତୁ । ଏଥିରେ କଟା ହୋଇଥିବା କଦଳୀ, ସେଓ, ଅଙ୍ଗୁର, କଞ୍ଚା ଆମ୍ବ ଓ ନଡିଆ କୋରା ପକାଇ ଦିଅନ୍ତୁ । ପରେ ଏଥିରେ କାଜୁ, କିସମିସ୍, ଆଲମଣ୍ଡ ପକାଇ ଚକଟି ଦିଅନ୍ତୁ । ପରେ ଏହା ଉପରେ ଗୋଲମରିଚ ଓ ଗୁଜୁରାତି ଗୁଣ୍ଡ ପକାଇ ଉପର ତଳ କରି ଗୋଳାଇ ଦିଅନ୍ତୁ । ପ୍ରଥମେ ଘରେ ଥିବା ଠାକୁରଙ୍କ ପାଖରେ ଏହି ଛତୁଆକୁ ଭୋଗ ଲଗାନ୍ତୁ । ପରେ ଏହାକୁ ଖାଇବାର ମଜା ନିଅନ୍ତୁ । ଏହି ପଣାର ସ୍ବାଦ ସଂକ୍ରାନ୍ତି ଦିନ ବ୍ୟତୀତ ଅନ୍ୟ କେଉଁଦିନ ଏତେ ଖାସ୍ ଲାଗି ନ ଥାଏ ।
ଦହି ପଣା:ଦହି ପଣା ନାଁ କହିଲା ମାତ୍ରେ ପାଟିରେ ପାଣି ଆସିଯାଇଥାଏ । ଏହା ଏମିତି ଏକ ପଣା, ଯାହାକୁ ବର୍ଷକ ବାରମାସ ଯାକ ପିଆଯାଇଥାଏ । ଦହି ପଣା ପ୍ରସ୍ତୁତ କରିବା ବହୁତ ସହଜ । ତେଣୁ ପିଲା ଠୁ ବୁଢା ସମସ୍ତେ ଏହି ପଣାକୁ ପିଇବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ଏହା ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଫଳପ୍ରଦ ହୋଇଥାଏ । ପେଟ ଥଣ୍ଡା ରଖିବା ସାଙ୍ଗକୁ ଶରୀରକୁ ଶ୍ବେତସାର ମିଳିଥାଏ ।
କେମିତି ପ୍ରସ୍ତୁତ କରିବେ ଦହି ପଣା....
ପ୍ରଥମେ ବହଳିଆ ଦହି ଓ ଚିନିକୁ ଏକାଥରେ ଗୋଳାଇ ଦିଅନ୍ତୁ । 2ଟି ପାଚିଲା କଦଳୀକୁ ଏଥିରେ ଚକଟି ଦିଅନ୍ତୁ । ନିଜ ମନପସନ୍ଦ ମୁତାବକ ଫଳ ଯେମିତିକି ଅଙ୍ଗୁର, ସେଓ, ଡାଳିମ୍ବ, କଦଳୀ ଆଦି ପକାଇ ପାରିବେ । ନଡିଆ କୋରା, ଛେନା, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, କାଜୁ, ଚେରି ଆଲମଣ୍ଡ, କିସମିସ ଓ ଅଳ୍ପ ପାଣି ଦେଇ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଦହି ପଣା । ଏବେ ଏହାକୁ କାଚ ଗ୍ଲାସରେ ରଖି ପରଷି ଦିଅନ୍ତୁ ।
ବେଲ ପଣା:
ଖରାଦିନେ ବେଲ ପ୍ରଚୁର ମାତ୍ରାରେ ମିଳିଥାଏ । ହାଟ-ବଜାର ସବୁଆଡେ ବେଲର ପସରା । ବେଲ ଶରୀର ପାଇଁ ଖୁବ୍ ଥଣ୍ଡା ହୋଇଥାଏ। ଏହା ପେଟକୁ ଥଣ୍ଡା ରଖିବା ସହ ବାତ, ମୋତିଆ ବିନ୍ଦୁ, ମଧୁମେହ ଇତ୍ୟାଦି ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ପ୍ରୋଟିନ, ଖଣିଜ ଲବଣ ଓ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ମିଳିଥାଏ । ବେଲ ପଣା ପାଟିକୁ ଭାରି ସୁଆଦିଆ ଲାଗିଥାଏ । ସଂକ୍ରାନ୍ତିରେ ବେଲରେ ମଧ୍ୟ ପଣା ପ୍ରସ୍ତୁତ ହୋଇଥାଏ ।
କେମିତି ପ୍ରସ୍ତୁତ କରିବେ ବେଲ ପଣା....
ପ୍ରଥମେ ବେଲକୁ ଫଟାଇ ସେଥିରୁ ଏହାର ରସ ବାହାର କରି ଦିଅନ୍ତୁ । ମଞ୍ଜିକୁ ବାହାର କରି ଫୋପାଡି ଦିଅନ୍ତୁ । ଏହାକୁ ଅଳ୍ପ ପାଣିରେ ଚକଟି ଦିଅନ୍ତୁ । ଏବେ ଏଥିରେ 2 ଖଣ୍ଡ ବରଫ ମିଶାଇ ଦିଅନ୍ତୁ । 2 ଗ୍ଲାସ ବେଲ ପଣା ପାଇଁ 2 ଚାମୁଚ ଦହି, 2 ଚାମୁଚ ନଡିଆ କୋରା, ଛେନା, ଚିନି, ପାଚିଲା କଦଳୀ ପକାଇ ଗୋଳାଇ ଦିଅନ୍ତୁ । ଗୋଟେ ଛୋଟ ଚାମୁଚ ଗୋଲମରିଚ ଗୁଣ୍ଡ, ମିଠା ବୁନ୍ଦି ପକାଇ ଦିଅନ୍ତୁ । ଏବେ ଏଥିରେ ବରଫ ଖଣ୍ଡ ପକାଇ କାଚ ଗ୍ଲାସରେ କାଢି ଦିଅନ୍ତୁ । ରସଗୋଲା ଓ ବୁନ୍ଦି ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ବେଲପଣା ।
ଛେନା ପଣା: