କଟକ: ଫ୍ୟାମିଲି କାଉନ୍ସିଲରଙ୍କ ଦେୟ ବୃଦ୍ଧି କରିବାକୁ ଏ ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାର ପରିବାର ଅଦାଲତର ଫ୍ୟାମିଲି କାଉନ୍ସିଲର ଅଶୋକ ଦାସଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ଏଥି ସହିତ ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ କାର୍ଯ୍ୟ କରୁଥିବା ଫ୍ୟାମିଲି କାଉନ୍ସିଲରଙ୍କ ଚାକିରି ସର୍ତ୍ତାବଳୀ ମଧ୍ୟ ଧାର୍ଯ୍ୟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭାବେ ଫ୍ୟାମିଲି କାଉନ୍ସିଲରଙ୍କ ନୂଆ ଚାକିରି ସର୍ତ୍ତାବଳୀ ପ୍ରଣୟନ ପର୍ଯ୍ୟନ୍ତ ପ୍ରମୁଖ ଫ୍ୟାମିଲି କାଉନ୍ସିଲରଙ୍କୁ ୩୨ ହଜାର ୫୦୦ ଟଙ୍କା ଓ ଫ୍ୟାମିଲି କାଉନ୍ସିଲରଙ୍କୁ ୨୩ ହଜାର ୨୬୦ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପରିବାର ଅଦାଲତରେ ପ୍ରମୁଖ ଫ୍ୟାମିଲି କାଉନ୍ସିଲର ଓ କାଉନସେଲରଙ୍କ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି ନିୟମ ରହିଥିବାବେଳେ ସେମାନଙ୍କ ପ୍ରାପ୍ୟ ସମ୍ପର୍କରେ କୌଣସି ନିୟମାବଳୀ ନଥିଲା। ତେବେ ୨୦ ଦିନର କାର୍ଯ୍ୟ ଦିବସ ଅନୁସାରେ ପ୍ରମୁଖ ଫ୍ୟାମିଲି କାଉନ୍ସିଲରଙ୍କୁ ୧୫ ହଜାର ଓ କାଉନସେଲରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ।