କଟକ:ବହୁଚର୍ଚ୍ଚିତ ନୟାଗଡ଼ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଓଡିଶା ହାଇକୋର୍ଟ। ମାମଲା ସୁପ୍ରିମକୋର୍ଟ ଯାଇ ସାରିଥିବାରୁ ଏଠାରେ ଆଉ ଶୁଣାଣିର ଆବଶ୍ୟକତା ନଥିବା ଦର୍ଶାଇଲେ ହାଇକୋର୍ଟ।
ଅପରପକ୍ଷରେ ଏସଆଇଟି ପକ୍ଷରୁ ତଦନ୍ତର ବିସ୍ତୃତ ଷ୍ଟାଟର୍ସ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ସିଲ୍ କଭରରେ ଏହି ରିପୋର୍ଟ ଦାଖଲ ହୋଇଛି। କିନ୍ତୁ ପିଡ଼ିତା ନାବାଳିକାଙ୍କ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ଆବେଦନକାରୀ ଚାହିଁଲେ ସେହି ମାମଲାରେ ପକ୍ଷ ହୋଇ ପାରନ୍ତି ବୋଲି ମନ୍ତବ୍ୟ ରଖି ମାମଲାରେ ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ।
ଆସନ୍ତା ଏପ୍ରିଲ ୫ରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ରହିଛି। ଗତ ଜାନୁୟାରୀ ୧୨ ତାରିଖରେ ଶୁଣାଣି ସମୟରେ ଏସଆଇଟିର ତଦନ୍ତ ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ପୂର୍ବରୁ ହାଇକୋର୍ଟରେ ଅନ୍ୟ ୩ ଟି ଷ୍ଟାଟର୍ସ ରିପୋର୍ଟ ଦାଖଲ କରିଥିଲା ଏସଆଇଟି।
ଡିସେମ୍ବର ୧୫, ଡିସେମ୍ବର ୨୩ ଓ ଜାନୁଆରୀ ୧୨ ରେ ଦାଖଲ ହୋଇଥିଲା ଷ୍ଟାଟସ ରିପୋର୍ଟ। ଏସଆଇଟି ତଦନ୍ତରେ ନାବାଳକ ଅଭିଯୁକ୍ତ ବୋଲି ଜଣାପଡିବା ପରେ ଗତ ଡିସେମ୍ବର ୨୧ ତାରିଖରେ ତାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ଏସଆଇଟି ଏହି ତଥ୍ୟ ହାଇକୋର୍ଟରେ ଉପସ୍ଥାପନ କରିଥିଲା। ପୂର୍ବରୁ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ। ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ଚାଲିଥିଲା।
ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଦାଏର କରାଯାଇଥିଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାରେ ଆବେଦନ କରାଯାଇଥିଲା ଯେ, ବାହ୍ୟ ଚାପ ମୁକ୍ତ ତଦନ୍ତକାରୀ ସଂସ୍ଥାକୁ ଏହି ତଦନ୍ତ ଦାୟିତ୍ବ ଦିଆଯାଉ।
ଯେତେ ପ୍ରଭାବଶାଳୀ ବ୍ୟକ୍ତି ଥାନ୍ତୁ ନା କାହିଁକି ଏହାର ସଠିକ ତଦନ୍ତ କରାଯାଉ ଅବା ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ପିଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରାର୍ଥନା କରାଯାଇଥିଲା।
ସେହିପରି ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ପ୍ରାର୍ଥନା କରାଯାଇଥିଲା କି ଏହି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଉ କିମ୍ବା ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ମଧ୍ୟ ପ୍ରାର୍ଥନା କରାଯାଇଥିଲା। ତେବେ ଉଭୟ ମାମଲାରେ ପୂର୍ଣଛେଦ ପକାଇଛନ୍ତି ଓଡ଼ିଶା ହାଇକୋର୍ଟ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ