କଟକ:HDFC ଅନୁଗୋଳ ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କୁ ଅନୁଗୋଳ ଟାଉନ ଥାନା ପୋଲିସ ବେଆଇନ ଭାବେ ଅଟକ ଘଟଣା । ଅନୁଗୋଳ ଟାଉନ ଥାନାର ତତ୍କାଳୀନ IIC ଓ ତଦନ୍ତକାରୀ ଅଧିକାରୀ ଦାୟୀ ବୋଲି ଓଡିଶା ମାନବିକ ଅଧିକାର ଆୟୋଗ (Odisha Human Rights ) ଙ୍କ ତଦନ୍ତକାରୀ ଟିମ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ।
ଘଟଣା ଅନୁସାରେ ୨୦୧୯ ସେପ୍ଟେମ୍ବର ୧୨ ତାରିଖରେ ଶକ୍ତି ବେଦାନ୍ତ ଦାସଙ୍କୁ ଉଠାଇ ନେଇଥିଲା ଅନୁଗୋଳ ପୋଲିସ । କିନ୍ତୁ ତାଙ୍କୁ ସେପ୍ଟେମ୍ବର ୧୪ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା। ବେଆଇନ ଭାବେ ଶକ୍ତି ବେଦାନ୍ତଙ୍କୁ ୫୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅଟକ ରଖା ଯାଇଥିଲା ବୋଲି ଅଭିଯୋଗ କରି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ଶକ୍ତି ବେଦାନ୍ତ ଦାସ । ଅଭିଯୋଗକୁ ନେଇ ଅନୁଗୋଳ ଏସପି ଓ ଜିଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ ଓଡିଶା ମାନବାଧିକାର କମିଶନ ।