ଓଡିଶା

odisha

ETV Bharat / city

ଭୁତ ଖାଉଛି ଭତ୍ତା, ମୃତ୍ୟୁ ପରେ ବୃଦ୍ଧାଙ୍କ ନାମରେ ଉଠୁଛି ଟଙ୍କା - କଟକ ଖବର

କଟକରେ ମୃତ୍ୟୁ ପରେ ମଧ୍ୟ ମୃତ ବୃଦ୍ଧାଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା । ଏଭଳି ଘଟଣା ନଜରକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ କର୍ପୋରେଟର । ସେପଟେ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମେୟର ସୁବାସ ସିଂ । ଅଧିକ ପଢ଼ନ୍ତୁ

ଭୁତ ଖାଉଛି ଭତ୍ତା, ମୃତ୍ୟୁ ପରେ ବୃଦ୍ଧାଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା
ଭୁତ ଖାଉଛି ଭତ୍ତା, ମୃତ୍ୟୁ ପରେ ବୃଦ୍ଧାଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା

By

Published : Aug 27, 2022, 10:41 PM IST

କଟକ: ମୃତ୍ୟୁର ୧୭ ମାସ ପରେ ବି ମୃତ ବୃଦ୍ଧାଙ୍କ ନାମରେ ଆସୁଛି ବାର୍ଦ୍ଧକ୍ୟ ଭତ୍ତା । ଏହି ଘଟଣା ଏନେଇ ସ୍ଥାନୀୟ କର୍ପୋରେଟରଙ୍କ ନଜରକୁ ଆସିବା ପରେ ମେୟରଙ୍କୁ ଜଣାଇଛନ୍ତି କର୍ପୋରେଟର ପ୍ରିୟମ୍ବଦା ସ୍ବାଇଁ । ତେବେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମେୟର ସୁବାସ ସିଂ ।

ସୂଚନା ଅନୁସାରେ କଟକ ମହାନଗର ନିଗମର ୱାର୍ଡ ନମ୍ବର ୫ ସିଡିଏ ସେକ୍ଟର ୭ ର ହିତାଧୀକାରୀ ବସନ୍ତ ମଞ୍ଜରୀଙ୍କର ୨୦୨୦ ମସିହା ଡିସେମ୍ବର ମାସରେ ମୃତ୍ୟୁ ହୋଇଥିଲା । ଏହାପରେ ୨୦୨୧ ଜାନୁଆରୀ ମାସରେ ତାଙ୍କର ସ୍ବାମୀ ଦୁର୍ଗା ଚରଣ ସାମଲ ୱାର୍ଡର ତତ୍କାଳୀନ ସିଇଓଙ୍କ ନିକଟରେ ଭତ୍ତା କାର୍ଡକୁ ସରେଣ୍ଡର କରିଥିଲେ । କିନ୍ତୁ ଏହା ପରେ କ୍ରମାଗତ ଭାବରେ ଭତ୍ତା ଟଙ୍କା ଉଠି ଚାଲିଥିଲା । ଏହି ଘଟଣା ସ୍ଥାନୀୟ କର୍ପୋରେଟର ଓ ମୃତକଙ୍କ ସ୍ବାମୀ ଜାଣିବା ପରେ ସିଏମସିର ଦ୍ବାରସ୍ଥ ହୋଇଛନ୍ତି ।

ଭୁତ ଖାଉଛି ଭତ୍ତା, ମୃତ୍ୟୁ ପରେ ବୃଦ୍ଧାଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା

ତେବେ ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ ପାଇଁ ମହାନଗର ନିଗମର କମିଶନର ଓ ମେୟରଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ କର୍ପୋରେଟର ପ୍ରିୟମ୍ବଦା ସ୍ବାଇଁ । ଘରୋଇ ସଂସ୍ଥା ଦ୍ବାରା ଭତ୍ତା ବଣ୍ଟନ କରାଯାଉଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ମୃତ ବୃଦ୍ଧାଙ୍କ ସ୍ବାମୀ କହିଛନ୍ତି, "୨୦୨୦ ମସିହା ଡିସେମ୍ବର ମାସରେ ମୋ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ଏହାର ପ୍ରାୟ ୧୫ ଦିନ ଭିତରେ ଅର୍ଥାତ ୨୦୨୧ ଜାନୁଆରୀ ମାସରେ ମୁଁ ତାଙ୍କର ଭତ୍ତା ସମ୍ପୃକ୍ତ ଖାତା ବିଭାଗୀୟ କାର୍ଯ୍ୟାଳୟରେ ଦେଇଥିଲି । ଏହାପରେ କିଏ ସେଥିରୁ ଟଙ୍କା ଉଠାଉଛି ମୁଁ ଜାଣି ନାହିଁ ।" ତେବେ ସେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।"

ସେପଟେ ଏନେଇ ପ୍ରତିକ୍ରିୟା ରଖି ସ୍ଥାନୀୟ ୫ ନମ୍ବର ୱାର୍ଡର କର୍ପୋରେଟର ପ୍ରିୟମ୍ବଦା ସ୍ବାଇଁ କହିଛନ୍ତି, "ଏହି ଘଟଣା ମୋ ନଜରକୁ ଆସିବା ପରେ ମୁଁ କମିଶନର ଓ ମେୟରଙ୍କୁ ଜଣାଇଛି । ପ୍ରଶାସନ ଏହାର ତଦନ୍ତ କରି ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ।" ତେବେ ଏଥିରେ ଯିଏ ବି ଦୋଷୀ ଅଛନ୍ତି ସେମାନଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରାଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ । ସେ କହିଛନ୍ତି ତଳିଆ କର୍ମଚାରୀଙ୍କ ଖାମଖିଆଲି ଯୋଗୁଁ ଏଭଳି ଘଟିଛି । ତେବେ ଏନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ସମ୍ପୃକ୍ତ ଦୋଷୀଙ୍କ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details