କଟକ:କଟକ ମହାନଗର ନିଗମ(Cuttack Municipal Corporation)ର ପଞ୍ଚମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମେୟର,କମିଶନରଙ୍କ ସମେତ ୫୯ଟି ଯାକ ୱାର୍ଡର କର୍ପୋରେଟର ଉପସ୍ଥିତ ଥିଲେ ।
ସୂଚନାଅନୁସାରେ, ବୈଠକରେ ସହରର ବିକାଶ ଓ ବ୍ୟବସ୍ଥା ସମ୍ପର୍କିତ ଏକାଧିକ ପ୍ରସ୍ତାବ କାଉନସିଲରଙ୍କ ଆଗରେ ଉପସ୍ଥାପନ କରାଯାଇଛି। ରାସ୍ତା ଘାଟ, ପଙ୍କ ଉଦ୍ଧାର, ଆଲୋକ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ନିଜ ନିଜ ୱାର୍ଡର ସମସ୍ୟା ସମ୍ପର୍କରେ ନିର୍ବାଚିତ ପ୍ରତିନିଧିମାନେ ମେୟର ଓ କମିଶନରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ପାର୍ବଣ ପୂର୍ବରୁ ବକେୟା କାର୍ଯ୍ୟ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ବିଭାଗୀୟ ଅଧିକାରୀମାନେ ୱାର୍ଡ ଗସ୍ତ କରିବା ସମୟରେ ଓ ଉନ୍ନତି ମୂଳକ କାର୍ଯ୍ୟକୁ ଆଗେଇ ନେବା ବେଳେ କର୍ପୋରେଟରଙ୍କ ସହ ବିଚାର ବିମର୍ଶ କରୁନଥିବା ବିରୋଧୀ କର୍ପୋରେଟର ଅଭିଯୋଗ କରିଛନ୍ତି ।