କଟକ: ସରିଗଲା ଦଶହରା । ସିଲଭରସିଟିରୁ କମିଗଲା ଭିଡ଼ । କିଏ କୁଆଡେ ଚାଲିଗଲେ କିନ୍ତୁ ଦେବୀ ଗଡ଼ାରେ ଟିକେ ରୋଜଗାର ପାଇଁ ଏଯାବତ ବସି ରହିଛନ୍ତି ଉଠା ବ୍ୟବସାୟୀ । ମଣିଷର ଦୈନନ୍ଦିନ ଜୀବନରେ ବ୍ୟବହାର ଉପଯୋଗୀ ଜିନିଷ ବିକ୍ରି କରିବା ଆଶାରେ ଦେବୀ ଗଡ଼ା ନିକଟରେ ରହିଛନ୍ତି ଏହି ବ୍ୟବସାୟୀ । ହେଲେ ବର୍ଷା ଯୋଗୁଁ ବେପାର ମାନ୍ଦା ପଡିଥିବା ସୂଚନା ଦେଇଛନ୍ତି ଅନେକ ବ୍ୟବସାୟୀ ।
ଦେବୀ ଦୁର୍ଗାଙ୍କ ଆଗମନରେ ଆସିଥାନ୍ତି ଏହି ଉଠା ବ୍ୟବସାୟୀ । ଷଷ୍ଠୀ ପୂଜାଠୁ ଏମାନେ ବ୍ୟବସାୟ ପ୍ରକ୍ରିୟା ଆରମ୍ଭ କରିଥାନ୍ତି । ଛୁଞ୍ଚୀ ଠୁ ଶାବଳ ପର୍ଯ୍ୟନ୍ତ ସବୁ ଘରକରଣା ଜିନିଷ ସୁଲଭ ମୂଲ୍ୟରେ ମିଳିଥାଏ । କିନ୍ତୁ ଭସାଣି ଠୁ ଝିପିଝିପି ବର୍ଷା ଲାଗି ରହିଥିବାରୁ ବ୍ୟବସାୟୀ ମାନେ ଏକପ୍ରକାର ନିରାଶ ହୋଇ ଯାଇଛନ୍ତି । କାରଣ ଭସାଣି ଦିନ ଓ ପରଦିନ ହିଁ ବେପାରର ପ୍ରକୃତ ସମୟ ରହିଥାଏ । ଯେଉଁ ଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ହେଲେ ବର୍ଷା କାରଣରୁ ଉଠା ବ୍ୟବସାୟୀ ମାନେ ନିରାଶ ହୋଇ ସେହି ଦେବୀ ଗଡ଼ାରେ ଚାହିଁ ରହିଛନ୍ତି ତାଙ୍କ ଗ୍ରାହକଙ୍କୁ ।