କଟକ: ଅନେକ ସମୟରେ ଆମେ ପଶୁଙ୍କ ଉପରେ ଅତ୍ୟାଚାର କରିଥାଉ । ଜାଣତରେ ହେଉ ଅବା ଅଜାଣତରେ ହେଉ ଆମେମାନେ ସେମିତି କିଛି ଭୁଲ କରିଥାଉ। ପଶୁ ହେଲେ ବି ସେମାନଙ୍କର ଜୀବନ ଅଛି । ସେମାନଙ୍କର ସେବା କରିବାର ଆମର ଦାୟିତ୍ବ ମଧ୍ୟ। ହେଲେ ଜୀବନର ବ୍ୟସ୍ତତା ମଧ୍ୟରେ ପଶୁଙ୍କ ଦୁଃଖ ଆମେ ବୁଝିନଥାଉ। ହେଲେ ପଢା ସମୟରୁ ସମୟ ବାହାର କରି ପଶୁପକ୍ଷୀଙ୍କ ଦାୟିତ୍ବ ସହ ଦୁଃଖ ବୁଝିଛନ୍ତି ରେଭେନ୍ସାର ମେଧାବୀ ଛାତ୍ରୀ ଅଭିପସା ମିଶ୍ର। ନିଜ ପକେଟ ମନିକୁ ନିଜ ପାଇଁ ଖର୍ଚ୍ଚ ନକରି ଆହତ ପଶୁଙ୍କୁ ଚିକିତ୍ସା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି ସେ।
ପଶୁପକ୍ଷୀଙ୍କ ମନର କଥା ବୁଝିପାରିଛନ୍ତି ଅଭିପସା ମିଶ୍ର। ଆଜି କାଲି ନୁହେଁ ବରଂ ପିଲାଟି ଦିନରୁ ଏଭଳି ଅସହାୟ ପଶୁଙ୍କ ଚିକିତ୍ସା କରି ଆସୁଛନ୍ତି ସେ। ଆହତ ପଶୁଙ୍କୁ ଚିକିତ୍ସା କରିବା ନିଶା ତାଙ୍କୁ ଏମିତି ଘାରିଛି ଯେ ତାଙ୍କ ସାମ୍ନାରେ ଯଦି କୌଣସି ପଶୁ କି ପକ୍ଷୀ ଆହତ ଅବସ୍ଥାରେ ଦେଖନ୍ତି, ତୁରନ୍ତ ସେଠାରେ ରହି ଚିକିତ୍ସା କରିଥାନ୍ତି ଅଭିପସା। ସବୁଠୁ ବଡ କଥା ହେଲା ନିଜ ପକେଟ ମନିରୁ ସେ ଚିକିତ୍ସା ଯୋଗାଇଥାନ୍ତି।