ଭୁବନେଶ୍ୱର :ଭାଇଗିରି ପାଇଁ ବଳି ପଡିଲା ନିରୀହ ଜୀବନ। ଭାଇଙ୍କ ସହ ଏକତ୍ରିତ ହୋଇ ଆସିବା ହେଲା କାଳ। ଝଗଡା କଲେ ଜଣେ ହେଲେ ଜୀବନ ଗଲା ଆଉ ଜଣଙ୍କର । ଯାହାର ପରିଣାମ ସ୍ବରୁପ ପ୍ରେସ ଛକରେ ହତ୍ୟାର ଶିକାର ହୋଇଛି ନିରୀହ ଯୁବକ। ବିବାଦ ଆରମ୍ଭ ହୋଇଥିଲା ରାସ୍ତା କଡରେ ଏକ କାର ଭିତରେ ଥିବା ଜଣେ ଯୁବକ ଓ ଯୁବତୀଙ୍କ ଠାରୁ। କାରରେ ବସି ସେମାନେ କେକ ଖାଉଥିଲେ ।
ଏହି ସମୟରେ ସେଠାକୁ ଯାଇଥିବା କେଟିଏମ ସୋରୁମର ଦୁଇଜଣ କର୍ମଚାରୀ ଓ ତାଙ୍କ ସାଙ୍ଗ ସେଠାରେ ସେମାନଙ୍କୁ ଦେଖି ହସି ଦେଇଥିଲେ। ଯାହାକୁ ନେଇ କାରରେ ଭିତରେ ଥିବା ଯୁବକ ଯୁବତୀ ଗାଡି ବାହାରକୁ ବାହାରି ସେମାନଙ୍କୁ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥାକଟାକଟି ହୋଇଥିଲା।
କାରରେ ବସିଥିବା ଯୁବକ ଜଣକ ନିଜକୁ ଗାଢକଣର ଯୁବକ ବୋଲି ପରିଚୟ ଦେଇଥିଲା । ସେ ସେଠାକାର ଲୋକାଲ ବୋଲି ସେମାନଙ୍କୁ କହି ଧମକ ଦେଇଥିଲା । ଯାହାକୁ ନେଇ କେଟିଏମରେ କାମ କରୁଥିବା କର୍ମଚାରୀ ଓ ସେହି ଗାଢକଣ ଯୁବକ ଭିତରେ ବିବାଦ ଉଗ୍ରରୂପ ନେଇଥିଲା। ଏହାର ଠିକ ୨୦ ମିନିଟ ଭିତରେ ଗାଢକଣର ୬ରୁ ୭ଜଣ ଯୁବକ ସେଠାରେ ଏକତ୍ରିତ ହୋଇଯାଇଥିଲେ । ଯେଉଁଥିରେ ଥିଲେ ନିରଞ୍ଜନ ପରିଡା ,ବିଶାଲ ରାଉତ ସମେତ ବିବେକ ରାଉତ। ଏହାରି ଭିତରେ ପ୍ରେସ ଛକରେ ଥିବା ପାନ ଦୋକାନ ସାମ୍ନାରେ ଉଭୟ ଗୋଷ୍ଠୀ ଭିତରେ କଥା କଟାକଟି ସହ ଠେଲାପେଲା ହୋଇଥିଲା।
ଯାହାକୁ ଗାଢକଣର କିଛି ଯୁବକ ନିଜର ଭାଇମାନଙ୍କ ସହ ମିଶି ଏକ ପରିବା ଦୋକାନ ଛୁରୀରେ ପ୍ରଥମେ କେଟିଏମ(ktm) ସୋରୁମ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ଯାହାର ଜବାବରେ କେଟିଏମର ଜଣେ କର୍ମଚାରୀ ହଠାତ୍ ଏକ ଛୁରି ବାହାର କରି ଚିଣ୍ଟୁ ଓରଫ ନିରଞ୍ଜନ ପରିଡାକୁ ଆକ୍ରମଣ କରିଥିଲା। ଯେହେତୁ ଛୁରୀଟି ଚିଣ୍ଟୁର ଛାତିରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା ।
ପରେ ପରିବା ଦୋକାନ ଛୁରୀରେ ଆଉ କିଛି ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ତେବେ ଭାଇଗିରି ଦେଖାଇବାକୁ ଯାଇ ଏକତ୍ରିତ ହୋଇ ଏପରି ଆକ୍ରମଣ କରିବାରୁ ପ୍ରତି ଆକ୍ରମଣରେ ଏପରି ଏକ ହତ୍ୟାକାଣ୍ଡ ଘଟିଥିଲା। ହେଲେ ଗଣ୍ଡଗୋଳ ଆରମ୍ଭ କରିଥିବା ଯୁବକ ବଦଳରେ ଆଉ ଜଣେ ଯୁବକ ଯେକି ଚିଣ୍ଟୁ ହତ୍ୟାର ଶିକାର ହୋଇଥିଲା।