ଓଡିଶା

odisha

ETV Bharat / city

ପରିବେଶ ଦିବସରେ ଘାରିଛି ପ୍ରଦୂଷଣ ଚିନ୍ତା - pollution

ଆଜି ବିଶ୍ବ ପରିବେଶ ଦିବସ । ଗାଁରୁ ସହର ସବୁଠି ଚାଲିଛି ସଚେତନତାର କାର୍ଯ୍ୟକ୍ରମ । ମାଲକାନଗିରି, କନ୍ଧମାଳ, କେନ୍ଦୁଝର, ସୁବର୍ଣ୍ଣପୁର, ଅନୁଗୋଳ, ନବରଙ୍ଗପୁର, କେନ୍ଦ୍ରାପଡା, ଯାଜପୁର, ପୁରୀ, ରାୟଗଡା ଆଦି ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଶୈଳୀରେ କରାଯାଉଛି ପରିବେଶ ରକ୍ଷା ପାଇଁ ପ୍ରୟାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 5, 2019, 7:25 PM IST

ଭୁବନେଶ୍ବର: ଆଜି ବିଶ୍ବ ପରିବେଶ ଦିବସ । ପ୍ରାଣରେ ପିଣ୍ଡ ଭରୁଥିବା ଏହି ପ୍ରକୃତି ପାଇଁ ଦିନଟିଏ । ଜୀବଜଗତ ବଞ୍ଚିବାର ଉତ୍ସକୁ ସତେଜ ଓ ସୁନ୍ଦର ରଖିବାକୁ ପଣ ନେବାର ଦିନଟିଏ । ଏଥିପାଇଁ ତ ଗାଁରୁ ସହର ସବୁଠି ଚାଲିଛି ସଚେତନତାର କାର୍ଯ୍ୟକ୍ରମ । ଗଳିକନ୍ଦି ବୁଲି କରାଯାଉଛି ଶୋଭାଯାତ୍ରା । ପରିବେଶ ସୁରକ୍ଷା ପାଇଁ ଚଳିତ ବର୍ଷର ଥିମ ରହିଛି ବିଟ ଦ ଏୟାର ପଲ୍ୟୁସନ । ମାଲକାନଗିରି, କନ୍ଧମାଳ, କେନ୍ଦୁଝର, ସୁବର୍ଣ୍ଣପୁର, ଅନୁଗୋଳ, ନବରଙ୍ଗପୁର ଆଦି ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଶୈଳୀରେ କରାଯାଉଛି ପରିବେଶ ସୁରକ୍ଷା ପାଇଁ ପ୍ରୟାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମାଲକାନଗିରି ଜିଲ୍ଲା ସବୁଜ ବାହିନୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡକ୍ରସର ଅଧକ୍ଷ ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିଥିବା ବେଳେ ସମସ୍ତଙ୍କୁ ଆଜିର ଦିନରେ ଗୋଟିଏ ଲେଖାଏଁ ବୃକ୍ଷ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେହିପରି ସୁବର୍ଣ୍ଣପୁରରେ ବନବିଭାଗ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳ ମଧୂସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ଓ ଜୈବ ବିବିଧତା ମହତ୍ବ ଓ ଏହାର ସୁରକ୍ଷା ଦିଗରେ ଆଲୋଚନା କରିଥିଲେ । ଠିକ ସେହିପରି ଜିଲ୍ଲାରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ବିଚାରପତି ମାନେ ଚାରା ରୋପଣ କରିଥିଲେ । ଜିଲ୍ଲା ଦେୱାନୀ ଓ ଫୌଜଦାରୀ ଅଦାଲତ ତଥା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଜଜ ରାଜକୁମାର ସାହୁ ପ୍ରଥମ ଚାରା ରୋପଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳୁଛି । ତେବେ ଏହାର କାରଣ ହ୍ରାସ ପାଉଥିବା ବୃକ୍ଷ ସଂଖ୍ୟା । ପରିବେଶ ସନ୍ତୁଳନ ରକ୍ଷା ବାର୍ତ୍ତା ନେଇ କନ୍ଧମାଳର ଯୁବକ ବିଶ୍ବ ପରିବେଶ ଦିବସ ଅବସରରେ ୟୁଥ୍ ଫର୍ କନ୍ଧମାଳର ଯୁବକ ଯୁବତୀ ମାନେ ଆରମ୍ଭ କରିଥିବା ଏକ କ୍ୟାମ୍ପେନକୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଶୁଭ ଆରମ୍ଭ କରିଥିଲେ । ଫୁଲବାଣୀ ମାଦିକୁନ୍ଦା ଛକରେ ଦୋକାନୀ ଓ ଲୋକଙ୍କୁ ଗଛ ବାଣ୍ଟି ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ ସାଂସଦ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଅନୁଗୋଳରେ ପରିବେଶ ସମିତି ପକ୍ଷରୁ ଫରେଷ୍ଟ ରେଞ୍ଜର ଟ୍ରେନିଙ୍ଗ କଲେଜ ପରିସରରେ ଏହି ଦିବସ ପାଳିତ ହୋଇ ଯାଇଛି । ବିଭାଗର ଅଧିକାରୀ ମାନେ ଅତିଥି ଭାବେ ଯୋଗ ଦେଇ ଉପୁଜିଥିବା ପରିବେଶ ଜନିତ ସମସ୍ୟାର ସମାଧାନ ପାଇଁ ଜନ ସାଧାରଣଙ୍କ ସହଯୋଗ ଲୋଡିଥିଲେ । ଜିଲ୍ଲାର ପୌରାଞ୍ଚଳ ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ସମସ୍ୟା ହୋଇଛି ତୁରନ୍ତ ଏହାର ସମାଧାନ ପାଇଁ ପ୍ରଶାସନ ଚେଷ୍ଠା କରୁଛି ବୋଲି କହିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


କେନ୍ଦୁଝର ଜିଲ୍ଲା ନଗରଭବନଠାରେ ଜଙ୍ଗଲ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଡା. ଭକ୍ତ ଚରଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରକୃତିବନ୍ଧୁ ପୁରସ୍କାର ପାଇଥିବା ୯ ଜଣଙ୍କୁ ପୁରସ୍କୃତ କରାଯାଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ନବରଙ୍ଗପୁର ବନବିଭାଗ ପକ୍ଷରୁ ବିଶ୍ଵପରିବେଶ ଦିବସ ପାଳିତ ହୋଇଯାଇଛି । ପାପଡାହାଣ୍ଡି ମୃଗବିହାର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଳେସ୍କର ଯୋଗଦେଇଥିଲେ । ବିଭିନ୍ନ ଫରେଷ୍ଟ ରେଞ୍ଜ ର 5 ଜଣ ପ୍ରକୃତି ବନ୍ଧୁ ପୁରସ୍କୃତ କରାଯାଇଥିଲା । ଏହାସହ 7 ଜଣଙ୍କୁ ପ୍ରକୃତି ମିତ୍ର ପୁରସ୍କାର ପାଇଁ ଭୁବନେଶ୍ବର ପଠାଯାଇଥିବା ଜଣାପଡିଛି । ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାରେ 5 ଲକ୍ଷ ବୃକ୍ଷ ରୋପଣ କରିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ରାୟଗଡା ଜିଲ୍ଲାର ବନବିଭାଗ, ବରିଷ୍ଠ ନାଗରିକ, ଅଦାଲତ ଓ ସ୍ବେଛାସେବୀ ସଂଗଠନ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ମୁନିଗୁଡା ବନବିଭାଗ ଦ୍ୱାରା ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସହ ସଚେତନତା ସଭା ଆୟୋଜିତ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁନିଗୁଡା ବିଡିଓ ଡଃ ଦିଲୀପ ବେହେରା ବୃକ୍ଷରୋପଣ କରିଥିଲେ । ବହୁଳ ପରିମାଣର ଗଛ ଲଗାଇ ପରିବେଶକୁ ସ୍ଵଛ, ସୁନ୍ଦର କରିବାକୁ ଆଗେଇ ଆସିବକୁ ବକ୍ତାମାନଙ୍କ ଦ୍ଵାରା ଆହ୍ୱାନ ଦିଆଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସେହିପରି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ପୁରୀ ଜିଲାପାଳ ବଲବନ୍ତ ସିଂ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମ ରେ ଜିଲ୍ଲାର ବନ କର୍ମଚାରୀ ସମେତ ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟତଃ ଫନି ବାତ୍ୟାରେ ପୁରୀ ଜିଲ୍ଲାରେ 5 ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଥିବାବେଳେ ସମସ୍ତେ ଵୃକ୍ଷ ରୋପଣ କରିବାକୁ ପୁରୀ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଯାଜପୁରର ସୁକିନ୍ଦା ଖଣି ଉପତ୍ୟାକାରେ ସ୍ବୀକୃତିପ୍ରାପ୍ତ ଖଣି ସଂଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ରାଜ୍ୟ ବିଜେଡିର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କାଳିଆପାଣି ସ୍ଥିତ ଓଡିଶା ଖଣି ନିଗମ ପରିସରରେ ଖଣି ଶ୍ରମିକ ଓ ସଂଗଠକଙ୍କ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଗତ ଫନି ବାତ୍ୟା ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ଯେଉଁ ପ୍ରଭୁତ କ୍ଷତି ସାଧିତ ହୋଇଛି ସେଥିପାଇଁ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉପ ଜିଲ୍ଲାପାଳ । ଜିଲ୍ଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ,ବୁଦ୍ଧିଜୀବି ଓ ପରିବେଶ ପ୍ରେମୀଙ୍କୁ ଉଦବୋଧନ ଦେଇ ବିଶ୍ୱ ତାପନ ଓ ଓଜୋନସ୍ତର ହ୍ରାସ ଦିଗରେ ବୃକ୍ଷର ଭୂମିକା ବିଷୟରେ ବୁଝାଇଥିଲେ । 6 ଜଣ ପରିବେଶ ପ୍ରେମୀଙ୍କୁ "ପ୍ରକୃତି ବନ୍ଧୁ"ପୁରସ୍କାର ସ୍ୱରୂପ ନଗଦ ପାଞ୍ଚ ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।

ନୟାଗଡ଼ରେ ମଧ୍ୟ ଛାତ୍ରଛାତ୍ରୀମାନେ ସହର ବୁଲି ଲୋକମାନଙ୍କୁ ପରିବେଶ ଉପରେ ସଚେତନ କରିଥିଲେ । ପରେ ଜିଲ୍ଲା ସଂସ୍କୃତି ଭବନରେ ସଭାର ଆୟୋଜନ ହୋଇଥିଲା । ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ ବ୍ଲକରୁ ପରିବେଶ ଉପରେ ଭଲ କାମ କରିଥିବା ବ୍ୟକ୍ତି ମାନଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆ ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details