ହାଇଦ୍ରାବାଦ: ଅଭିଧାନରୁ ଅସମ୍ଭବ ଶବ୍ଦ ଉଠିଯିବ, ସମାଜରୁ ସଂଘର୍ଷର ପରିଭାଷା ବଦଳି ଯିବ....ଆଉ ଯାହା କେବେ ହେଇନଥିଵ ସେମିତି କିଛି ଘଟିବ..ଯଦି ନାରୀଟିଏ ଚାହିଁଵ। ଏ ଚିର ସବୁଜିମା ଠୁ ଆରମ୍ଭ କରି ପରିବର୍ତ୍ତନର କଂକ୍ରିଟ୍ ବିକଳ୍ପ ଏବଂ ବିପ୍ଳବ ସବୁକିଛି ତା' ପାଖେ ଆରମ୍ଭ ଓ ଶେଷ।
ସମ୍ମାନ ହେଉ କି ପ୍ରସଂଶା ! ପ୍ରତିଷ୍ଠା ହେଉ କି ପ୍ରସିଦ୍ଧି ! ସମୃଦ୍ଧି ହେଉ କି ସେବା ! ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉତ୍ସବ ସର୍ଵଦା ତା ପାଖରେ, ତା ପଣତରେ !! ତା ଓଠ ହସରେ ସୁଖର ସର୍ଜନା ହୁଏ ଆଉ ତା ଆଖିର ଲୁହ ଭସେଇ ଦେଇପାରେ ତମାମ ପ୍ରୟୋଜନକୁ। ସେ ଯୁଗ ଯୁଗ ବ୍ୟାପି ଯୋଦ୍ଧା। କେବେ ସେ ସେବାର ମହାନ ପ୍ରତିଛବି ତ କେବେ ସେ ସଂଗ୍ରାମର ଅନନ୍ୟ ଉଦାହରଣ।
ହଁ ମୁଁ ଜଣେ ନାରୀ... ମୋ ଅସ୍ତିତ୍ବ ହିଁ ମୋ ଘର। କିଏ କହେ ଦୁହିତା ଆଉ କିଏ କହେ ମୁଁ ମାତୃଶକ୍ତି। କେବେ ନାରୀ ହୋଇ ମୁଁ ସବୁ ସହିଯାଏ ତ ... ଆଉ କେବେ ପୂଜା ଘରେ ଦେବୀ ହୋଇ ପୂଜା ପାଏ। ଅନେକ ରୂପ ମୋର କେତେ ଚେହେରା। ଚୁପ୍ ହୋଇ ସ୍ବୀକାର କରିନିଏ ଅସହ୍ୟ ବେଦନା... ଆଉ ପରିସ୍ଥିତିର କଷାରଘାତରେ ସାଜେ ମୁଁ ବୀରାଙ୍ଗନା। ମହାମାରୀ ସମୟରେ ବିନା ଅସ୍ତ୍ରରେ ଏଭଳି ବୀରାଙ୍ଗନା ସାଜିଥିଲେ କିଛି କୋରୋନା ଯୋଦ୍ଧା।
ସେ ସଅଁପୁର ଗ୍ରାମର ଗୌରୀ ବେହେରାଙ୍କ ଠାରୁ ଆରମ୍ଭ କରି ଗଜପତି ମୋହନା ତହସଲିଦାର କଲ୍ୟାଣୀ ସଂଘମିତ୍ରା। ଯେଉଁମାନେ ନିଜର ମଣିଷକୁ ପଛ କରି ଜନସେବା କରିବା ସହ ବହୁତ କିଛି ଜଳାଞ୍ଜଳୀ ଦେଇଛନ୍ତି। ଆଉ କୋରୋନା କୁରୁକ୍ଷେତ୍ରରେ ଯୋଦ୍ଧା ସାଜିଥିଲେ।