ଭୁବନେଶ୍ବର:ପ୍ରତିବର୍ଷ ପରି ଆଜି ତଥା ମେ ୨୮ ତାରିଖକୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ(World Menstrual Hygiene Day) ପାଳିତ ହେଉଛି । ଋତୁସ୍ରାବ ଏକ ପ୍ରାକୃତିକ ପର୍ଯ୍ୟାୟ ହୋଇଥିବା ବେଳେ ଏ ସମ୍ପର୍କରେ ମହିଳାଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ବିଶ୍ବ ସ୍ତରରେ ଏହି ଦିବସ ପାଳିତ ହୁଏ । ଋତୁସ୍ରାବ ହେଉଛି ନାରୀ ଜୀବନର ଏକ ବିଶେଷ ଅଂଶ । ଏହା ବିନା ନାରୀଟିଏ ମା ହୋଇପାରେନି । ତେବେ ଋତୁସ୍ରାବ ସମୟରେ ନାରୀମାନଙ୍କୁ କିପରି ସତର୍କ ରହିବାକୁ ହେବ ସେହି ସମ୍ପର୍କିତ ଜ୍ଞାନ ରଖିବା ନିହାତି ଜରୁରୀ । ଏହି ସମୟରେ ସ୍ବଚ୍ଛତା ଦୃଷ୍ଟିରୁ ସାନିଟାରୀ ପ୍ୟାଡ଼ର ବ୍ୟବହାର କରିବା ଆବଶ୍ୟକ ।
ଏହି ଆଧୁନିକ ଯୁଗରେ ମଧ୍ୟ ଋତୁସ୍ରାବକୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ମହିଳାମାନେ ଏ ସମ୍ପର୍କରେ ଖୋଲାଖୋଲି ଭାବେ କଥା ହେବାକୁ ସଙ୍କୁଚିତ ମନେ କରନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ସମସ୍ୟା ଉପୁଜେ । ଜନ ସଚେତନତା ଅଭାବ ଓ ସାନିଟାରୀ ନାପକିନର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ମହିଳାମାନେ ଏହି ସମୟରେ କପଡ଼ା ବ୍ୟବହାର କରନ୍ତି । ଏହା ମନରେ ସର୍ବଦା ରଖିବା ଉଚିତ ଗର୍ଭଧାରଣ ପାଇଁ ଏହି ପ୍ରକ୍ରିୟାଟି ଏକ ନାରୀ ଠାରେ ରହିବା ନିହାତି ଆବଶ୍ୟକ । ଏହା ଜୈବିକ ପ୍ରକ୍ରିୟା(Biological Process) ହୋଇଥିବାରୁ ପ୍ୟାଡ କିଣିବା ସମୟରେ କିମ୍ବା କଥା ହେବା ସମୟରେ ଲାଜ କରିବା ଉଚିତ ନୁହେଁ ।
ଦିବସକୁ ନେଇ କଣ କହେ ଇତିହାସ ?:-
ଏହି ଦିବସଟି ପ୍ରଥମେ ଜର୍ମାନର ଏକ NGO ସଂସ୍ଥା ୱାସ ୟୁନାଇଟେଡ(Wash United) ଦ୍ବାରା ଆରମ୍ଭ ହୋଇଥିଲା । ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ଲାଗି ମହିଳାମାନଙ୍କ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରାଯାଇଥିଲା । ଅଧିକାଂଶ ମହିଳାଙ୍କ ୫ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ହୋଇଥାଏ । ତେବେ ମେ(MAY Month) ବର୍ଷର ୫ତମ ମାସ ହୋଇଥିବାରୁ ଏହି ମାସରେ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୟୁକେର ଜାତୀୟ ସ୍ବାସ୍ଥ୍ୟ ସେବା ବିଭାଗର କହିବାନୁସାରେ ପ୍ରତ୍ୟେକ ମହିଳାଙ୍କୁ ୫ ଦିନ ଋତୁସ୍ରାବ ହୋଇନଥାଏ । ଏହା ପ୍ରତ୍ୟେକ ମହିଳା ଶରୀରରେ ଭିନ୍ନ ହୋଇଥାଏ । ମାତ୍ର ଶରୀରରେ ଋତୁସ୍ରାବ ପ୍ରକ୍ରିୟା ୨୧ରୁ ୪୦ ଦିନ ରହିଥାଏ । ଯାହାକି ସାଧାରଣ ହୋଇଥାଏ ।
ଚଳିତ ବର୍ଷର ବିଷୟବସ୍ତୁ: -
ଚଳିତ ବର୍ଷ ମାସିକ ଋତୁସ୍ରାବ ଦିବସର ବିଷୟବସ୍ତୁ ଟ୨୦୩୦ ସୁଦ୍ଧା ଜୀବନର ଏକ ସାଧାରଣ ସତ'(Normal fact of life by 2030)ରେ ପରିଣତ ହେବାର ଲକ୍ଷ୍ୟ ରହିଛି । ପୂର୍ବ ବର୍ଷ ଏହାର ବିଷୟବସ୍ତୁ ରହିଥିଲା ଋତୁସ୍ରାବ ସ୍ବଚ୍ଛତା ଏବଂ ସ୍ବାସ୍ଥ୍ୟରେ କାର୍ଯ୍ୟ ଓ ବିନିଯୋଗ (Action and investment in menstrual hygiene and health) ।