ଭୁବନେଶ୍ବର: ଜାତୀୟ ଜନଜାତି କମିଶନ ସଦସ୍ୟଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ସମୟରେ ବିରୋଧକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ସାମ୍ବାଦିକ ସମ୍ମିଳନୀ କରି କଡା ସମାଲୋଚନା କରିଛନ୍ତି ।
ଗତକାଲି କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ଏସଟି କମିଶନ ସଦସ୍ୟ ଅନନ୍ତ ନାଏକ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜନଶୁଣାଣି ପାଇଁ ଯାଇଥିଲେ । ବଳଭଦ୍ରପୁର ଏବଂ ଓରିଆ ଅଞ୍ଚଳରେ କିଛି ପ୍ରାୟୋଜିତ ଆଦିବାସୀ ଲୋକ ଅନନ୍ତ ନାଏକଙ୍କୁ ଅଟକାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ଲୋକମାନେ ଅନନ୍ତ ନାଏକ ଗୋ ବ୍ୟାକ ବୋଲି କହିଥିଲେ । ଏଥିରେ ସରକାରୀ ଦଳର ନେତାଙ୍କ ଦ୍ୱାରା ପ୍ରାୟୋଜିତ ଲୋକ ଏସଟି କମିଶନ ସଦସ୍ୟଙ୍କୁ ଘେରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଅନନ୍ତ ନାୟକଙ୍କୁ ପ୍ରୟୋଜିତ ବିରୋଧ ପଛରେ କିଏ ? ଜିଲ୍ଲା ପ୍ରଶାସନ ସୁରକ୍ଷା ଦେବାରେ ବିଫଳ କାହିଁକି ? କାଞ୍ଜିପାଣି ପୋଲିସ ଷ୍ଟେସନର 100 ମିଟର ଦୂରରେ ଘଟଣା ଘଟିବା ଓ ପୂର୍ବରୁ ଅନୁମତି ନନେଇ ଏତେ ଲୋକ ଏକାଠି ହେବା ପୋଲିସ ବିଭାଗକୁ କେମିତି ଜଣପଡିଲା ନାହିଁ ? ଜିଲ୍ଲା ପୋଲିସ ଏବଂ ଜିଲ୍ଲାପାଳଙ୍କ ଭୂମିକା ସନ୍ଦେହ ଘେରରେ ବୋଲି କହିଛନ୍ତି ମୋହନ ।
ଜନଜାତି କମିଶନଙ୍କୁ ବିରୋଧ କାହିଁକି: ବିଜେପି ଆଦିବାସୀଙ୍କ ସମସ୍ୟା ଶୁଣିବାକୁ ଯିବା ସମୟରେ ବିରୋଧ କାହିଁକି କରାଗଲା । ରାଜ୍ୟ ଗୁଇନ୍ଦା ବାରମ୍ବାର ବିଫଳ କାହିଁକି ହେଉଛି ? କେନ୍ଦୁଝରର ଆଦିବାସୀ ଲୋକଙ୍କ ପ୍ରଶାସନ ବିରୋଧରେ ବାରମ୍ବାର ଅଭିଯୋଗ ଫଳରେ ଅନନ୍ତ ନାୟକଙ୍କ ବାରମ୍ବାର କେନ୍ଦୁଝର ଗସ୍ତରେ କେନ୍ଦୁଝର ପ୍ରଶାସନ ବ୍ୟସ୍ତ ହୋଇ ଏପରି ଘଟଣା ଘଟାଇବାରେ ପ୍ରଚ୍ଛଦପଟର ନାୟକ ସାଜିଛି ବୋଲି ବିଜେପି ଅଭିଯୋଗ କରିଛି । ଆଦିବାସୀଙ୍କ ସ୍ବାର୍ଥ ଏବଂ ଅଧିକାର ପାଇଁ କାର୍ଯ୍ୟ କରୁଥିବାରୁ ଏହି ବିରୋଧ କି ବୋଲି ପ୍ରଶ୍ନ କରିଛି ଦଳ?
ଆଦିବାସୀ ଲୋକଙ୍କ ବିଭିନ୍ନ ସମସ୍ୟା କେନ୍ଦୁଝର ଜିଲ୍ଲାରେ ସମାଧାନ ହୋଇପାରୁନାହିଁ । ରାଜ୍ୟ ସରକାର 22 ବର୍ଷ ଧରି ଆଦିବାସୀଙ୍କ ବିକାଶ ଦିଗରେ ଆନ୍ତରିକତା ଦେଖାଉ ନାହାନ୍ତି । ଏକ ସପ୍ତାହ ତଳେ ହରିଚନ୍ଦନପୁରରେ ମଧ୍ୟ ଅନନ୍ତ ନାଏକଙ୍କୁ ବିରୋଧ କରଯାଇଥିଲା । କିନ୍ତୁ ହରିଚନ୍ଦନପୁର ଘଟଣା ପରେ NCSTର ଅଧିକାରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନକୁ ଲିଖିତ ଜଣାଇଲା ପରେ ମଧ୍ୟ କାହିଁକି ପଦକ୍ଷେପ ନେଲେନାହିଁ ? ଜଙ୍ଗଲ ଜାତ ଦ୍ରବ୍ୟର ଏମଏସପି ଦର ଆଦିବାସୀ ଲୋକଙ୍କୁ ମିଳୁନାହିଁ । ଖଣି ଖାଦାନରେ 100 ପ୍ରତିଶତ ମେସିନରେ କାମ କରିବା ସହ ଶ୍ରମିକ ମାନଙ୍କୁ କାମରୁ ବାହାର କରି ଦିଆଗଲା । ଏହା ଦୁର୍ଭାଗ୍ୟଜନକ କଥା । କିନ୍ତୁ ଏ ସବୁ ସମସ୍ୟାର ସମାଧାନ ପାଇଁ ଏସଟି କମିଶନ ସଦସ୍ୟ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ଦଳୀୟ ଲୋକ ଏବଂ ଜିଲ୍ଲା ପ୍ରଶାସନକୁ କାହିଁକି ଜନଜାତି କମିଶନଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ତେବେ ଏହି ପ୍ରସଙ୍ଗରେ ଶାସକ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ।
ଇଟିଭି ଭାରତ, ଭୁବନେଶ୍ବର