କେନ୍ଦ୍ରାପଡା:କଳା-ସଂସ୍କୃତି ସମ୍ପନ୍ନ ଓଡିଶା ଦେଶ-ବିଦେଶରେ ବେଶ୍ ଜଣାଶୁଣା । କଳା-କାରୁକାର୍ଯ୍ୟ-ଭାସ୍କର୍ଯ୍ୟ ପାଇଁ ଓଡିଶା ବହୁ ନାଁ କମେଇଛି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡିଶା ମାନଚିତ୍ରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ଅଧିକାଂଶ ସମୟରେ ଚର୍ଚ୍ଚାର ଶିରୋନାମାରେ କଳିଙ୍ଗ । ତେଣିକି ସେ ରସାବଳୀ ହେଉ କିମ୍ବା କୋଣାର୍କ । ବାରବାଟୀ ଷ୍ଟାଡିୟମ ହେଉ କିମ୍ବା ଦହିବରା । ଖାଦ୍ୟପାନୀୟ ଠାରୁ ଆରମ୍ଭ କରି ଶିଳ୍ପ-କାରୁକାର୍ଯ୍ୟରେ ଓଡିଶା ବିଶ୍ବ ଦରବାରରେ ଖୁବ୍ ପ୍ରସିଦ୍ଧି ଲାଭ କରିପାରିଛି । ପର୍ଯ୍ୟଟନ କ୍ଷେତ୍ରରେ ଅବା ପଛରେ ରହିବ କିପରି । ଅର୍କକ୍ଷେତ୍ର, ଶ୍ରୀକ୍ଷେତ୍ର, ଭିତରକନିକା, ଚିଲିକା, କାଳିଜାଈ, ଦାରିଙ୍ଗବାଡି ଆଦି ଅନେକ ସ୍ଥାନର ସୌନ୍ଦର୍ଯ୍ୟରେ ଓଡିଶା ପରିପୂର୍ଣ୍ଣ ।
ଏହି ମନମତାଣିଆ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଓଡିଶାରେ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ସେମିତି ଏକ ପର୍ଯ୍ୟଟନସ୍ଥଳ ହେଉଛି ଶସ୍ୟଶ୍ୟାମଳା 'ଭିତରକନିକା ଜାତୀୟ ଉଦ୍ୟାନ' । କୋରୋନା ଏବଂ କୁମ୍ଭୀରଙ୍କ ପ୍ରଜନନ ଋତୁ ହେତୁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହା ବନ୍ଦ ରହିଥିଲା । ଏବେ ଆସନ୍ତାକାଲି(ଅଗଷ୍ଟ-୫)ରେ ଖୋଲିବାକୁ ଯାଉଛି । ଯେଉଁଥିପାଇଁ ପର୍ଯ୍ୟଟକ ବେଶ୍ ଉତ୍ସାହିତ । ତେବେ ଚାଲନ୍ତୁନା ଜାଣିବା କାହିଁକି ଏହି ଉଦ୍ୟାନ ଏତେ ଲୋକପ୍ରିୟ ଓ ଏଠାରେ କେଉଁ କେଉଁ ପଶୁ-ପକ୍ଷୀଙ୍କୁ ଦେଖିବାକୁ ମିଳେ ।
ଅବସ୍ଥିତି ଓ ପରିବ୍ୟାପ୍ତ:
ଏହା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ ୬୭୨ ବର୍ଗ କି.ମି ଓ ୧୯୯୮ରେ ଜାତୀୟ ଉଦ୍ୟାନ ୧୪୫ ବର୍ଗ କି.ମି ଘୋଷିତ ହେଲା । ୨୦୦୨ ମସିହାରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୂମି ଘୋଷଣା କରାଯାଇଥିଲା । ରାଜନଗର ବିଧାନସଭା ମଣ୍ଡଳୀରେ ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ଭିତରକନିକା ଓ ଗହିରମଥା ଅବସ୍ଥିତ । ଜାତୀୟ ଉଦ୍ୟାନ ଭିତରକନିକା ଏକ ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ-ବୈତରଣୀ ଓ ଧାମରା ନଦୀମାନଙ୍କ ତ୍ରିକୋଣୀୟ ଭୂମିରେ ପରିବ୍ୟାପ୍ତ । ଏହାର ପୂର୍ବରେ ଗହୀରମଥା ବେଳାଭୂମି ଅଛି, ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ ।
63 ପ୍ରକାରର ଲୁଣି ହେନ୍ତାଳ ବୃକ୍ଷ ଓ ୩୨୨ ପ୍ରଜାତିର ପକ୍ଷୀ:
ସମ୍ପୂର୍ଣ୍ଣ ଉଦ୍ୟାନ ସବୁଜିମା ଘେରା । ନଦୀରେ ବୋଟର ଫଟଫଟିଆ ଶବ୍ଦ, ଭଳିକିଭଳି ପକ୍ଷୀଙ୍କ କିଚିରିମିଚିରି ଶବ୍ଦ, ସାପର ସୁ-ସୁ ଶବ୍ଦ, ବିଲୁଆରେ ହୁକେ-ହୋ ଶବ୍ଦରେ ଭିତରକନିକା ଉଦ୍ୟାନ କମ୍ପି ଉଠିଥାଏ । ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାରର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରଜାତିର ପକ୍ଷୀ ମାଛରଙ୍କା, ଗେନ୍ଦାଖିଆ, ବଣି, ବଗ, କାଠହଣା, ସରୀସୃପ ପ୍ରଜାତିରେ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭୀର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଇଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ରହିଛନ୍ତି । ଏହା ବ୍ୟତୀତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଆଦିଙ୍କୁ ଦେଖିବାକୁ ମିଳେ । ୧୬ ପ୍ରଜାତିର ମାଛ ଓ ୮ ପ୍ରଜାତିର କଙ୍କଡା ଏଠାରେ ମିଳିଥାଏ । ଜଙ୍ଗଲ ମଧ୍ୟରେ ୧୪ ପ୍ରକାର ପଶୁ ବସବାସ କରୁଥିଲାବେଳେ ହରିଣଙ୍କର ସଂଖ୍ୟା ସର୍ବାଧିକ । ଏହି ଉଦ୍ୟାନ ଲୁଣି ପାଣିରେ ବଞ୍ଚୁଥିବା କୁମ୍ଭୀର (Crocodylus Porosus), ଭାରତୀୟ ଅଜଗର (Indian python), କଳା ଆଇବିସ (Black ibis) ଓ ଡାର୍ଟର (Darters)ମାନଙ୍କ ବାସସ୍ଥଳୀ । ଗହୀରମଥା ସମଗ୍ର ପୃଥିବୀରେ ଅଲିଭ ରିଡେଲ କଇଁଛଙ୍କ ଏନ୍ତୁଡିଶାଳ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ବେଳେବେଳେ ଏଠାରେ ଇରୱାଡ଼ୀ ଡଲଫିନ ମଧ୍ୟ ଦେଖିବାକୁ ମିଳନ୍ତି ।
ଜାତୀୟ ଉଦ୍ୟାନ କେବେ ହେଲା...
୧୯୮୮ ମସିହା ଅକ୍ଟୋବର ମାସ ୩ ତାରିଖରେ ଓଡିଶା ସରକାର ଏହି ଅଭୟାରଣ୍ୟକୁ 'ଜାତୀୟ ଉଦ୍ୟାନ' ଭାବେ ଘୋଷଣା କରିଥିଲେ ।
ବଉଳାକୁମ୍ଭୀରଙ୍କ ପାଇଁ ବଷ୍ଟାଡିଙ୍କ ଯୋଜନା:
ଉଦ୍ୟାନର ସମସ୍ତ ଅଞ୍ଚଳ ୧୪୩୫ ବର୍ଗ ମଧ୍ୟରେ ପରିସୀମିତ । ଏଥି ମଧ୍ୟରୁ ୧୪୦୫ ସାମୁଦ୍ରିକ ଅଞ୍ଚଳ ଓ ୨୭ ବର୍ଗ କି.ମି ସଂରକ୍ଷିତ ଜଙ୍ଗଲ, କାଦୁଅ ମାଟି ଓ ବାଲିପୂର୍ଣ୍ଣ ଅଞ୍ଚଳରେ ପରିପୂର୍ଣ୍ଣ । କୁମ୍ଭୀର ପ୍ରଜନନ ଅଞ୍ଚଳ ଭାବରେ ଭିତରକନିକା ସମଗ୍ର ପୃଥିବୀରେ ବେଶ୍ ପରିଚିତ । ପ୍ରଥମେ ୧୯୭୫ ମସିହାରେ ଡ. ଏଇଚ୍.ଆର ବଷ୍ଟାଡି ନାମକ ଜଣେ ଗୋରା ସାହେବ ବିଲୁପ୍ତ ବଉଳାକୁମ୍ଭୀର ସଂରକ୍ଷଣ କରିବା ପାଇଁ ଏଠାରେ ଯୋଜନା ଆରମ୍ଭ କରିଥିଲେ ।
କୁମ୍ଭୀର ନାଁ 'ଗୋରୀ':
ଭିତରକନିକା ଅଞ୍ଚଳ ଅନ୍ତର୍ଗତ କାଳିଭଞ୍ଜଡିଆ ଅଞ୍ଚଳରୁ ସଂଗୃହୀତ କୁମ୍ଭୀର ଅଣ୍ଡାରୁ କୃତ୍ରିମ ପ୍ରଣାଳୀରେ ୧୯୭୫ ମସିହା ଅଗଷ୍ଟ ମାସରେ ଜନ୍ମ ନେଇଥିଲା ବଉଳା ଧଳା କୁମ୍ଭୀର 'ଗୋରୀ' । ପ୍ରଥମେ ଏହି କୁମ୍ଭୀରକୁ ଗବେଷକ ସୁଧାକର କର ଓ ଡଃ ବଷ୍ଟର୍ଡ ଚିହ୍ନିଥିଲେ । ଅବସରପ୍ରାପ୍ତ ରାଜସ୍ୱ ପର୍ଷଦ ବିଘ୍ନରାଜ ପଟେଲ୍ ଏହାର ନାମ ଦେଇଥିଲେ 'ଗୋରୀ' । ୧୯୮୪ ମସିହାରେ ଏହାକୁ ଏକ ଆବଦ୍ଧ ପୁଷ୍କରିଣୀରେ ଛାଡି ଦିଆଯାଇଥିଲା ।
ଆଖପାଖ ଦର୍ଶନୀୟ ସ୍ଥାନ:
ଯଦି ଆପଣ ଭିତରକନିକା ବୁଲିବାକୁ ଯାଉଛନ୍ତି, ତେବେ ନିକଟରେ ଥିବା ସ୍ଥାନ ଗୁଡିକୁ ବୁଲିବାକୁ ଯାଆନ୍ତୁ । ଆଖପାଖରେ ଧାମରା ବନ୍ଦର ଓ ତାଳଚୁଆ ମାଛ ଜେଟି, ହୁଇଲର ଦ୍ୱୀପ ଓ କାଳୀଭଞ୍ଜଡ଼ିଆ ଅବସ୍ଥିତ । ରିଘାଗଡା ଗ୍ରାମରେ ଜଗନ୍ନାଥ ମନ୍ଦିର ଅଛି । ଏହା ଆଗରୁ କନିକା ରାଜା ଜମିଦାରୀରେ ଥିଲା । ଆହୁରି ମଧ୍ୟ Silted lotus pond, Meadow Tower, ଶିମିଳିପାଳ ଜାତୀୟ ଉଦ୍ୟାନ, ଶିବ ମନ୍ଦିର ପରି ଅନେକ ରୋଚକ ସ୍ଥାନ ରହିଛି । ଯାହା ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷିତ କରିଥାଏ ।
କେମିତି ଯିବେ:
ବିମାନପଥ: ବିଜୁ ପଟ୍ଟନାୟକ ବିମାନବନ୍ଦର(ଭୁବନେଶ୍ବର)ରୁ ଓହ୍ଲାଇ କେନ୍ଦ୍ରାପଡା ବସ ଯୋଗେ ଭିତରକନିକା ଯାଇପାରିବେ ।