ଭୁବନେଶ୍ବର: ଯଦି ଆପଣଙ୍କ ପିଲା ଏକୁଟିଆ ସ୍କୁଲ କିମ୍ବା ଟ୍ୟୁସନ ଯାଉଛନ୍ତି, ତାହେଲେ ହୋଇଯାନ୍ତୁ ସାବଧାନ । କାରଣ ରାଜଧାନୀ ରାଜରାସ୍ତାର ଗଳିକନ୍ଦିରେ ବୁଲୁଛନ୍ତି ଯୌନ ପିପାସୁ । ଏକୁଟିଆ ଦେଖି କରୁଛନ୍ତି ଅସଦାଚରଣ । ଗତ 6 ଦିନ ତଳେ ଲକ୍ଷ୍ମୀସାଗର ଥାନା ଶବର ସାହି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଟ୍ୟୁସନ ଯାଉଥିବା ବେଳେ ଜଣେ ନାବାଳିକାକୁ ଅସଦାଚରଣ ହୋଇଥିବା ଘଟଣା ରାସ୍ତାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହି ଫୁଟେଜ ସାମନାକୁ ଆସିବା ପରେ ରାଜଧାନୀରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।
ସିସିଟିଭିରେ କଏଦ ଭିଡିଓ ଅନୁଯାୟୀ, ଗତ 21 ତାରିଖରେ ଶବର ସାହି ଦେଇ ଜଣେ ନାବାଳିକା ଟ୍ୟୁସନ ଯାଉଥିବାବେଳେ ଜଣେ ବ୍ୟକ୍ତି ଏକ 2 ଚକିଆ ଗାଡିରେ ଆସି ଝିଅଟି ସହ କଥା ହୋଇଥିଲା । ଏହା ପରେ କିଛି ବାଟ ଯିବା ପରେ ସେ ଉକ୍ତ ନାବାଳିକା ସହ ଅସଦାଚରଣ କରୁଥିବାର ନଜର ଆସିଥିଲା । ସିସିଟିଭି ଫୁଟେଜରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ କିଏ ତାହା ଏବେ ପ୍ରଶ୍ନ ଉଠୁଛି ।