ଭୁବନେଶ୍ବର: ଆକାଶ ଛୁଆଁ ପରିବା ଦର। ପ୍ରତିଟି ପରିବାର ଦର ୬୦ ଟପିଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି । କାର୍ତ୍ତିକ ମାସରେ ପରିବା ଦର ଦୁଇଗୁଣା ବଢିଯାଇଛି । ଯାହା ରାଜଧାନୀବାସୀଙ୍କ ଧର୍ମ ମାସର ଆରମ୍ଭରୁ ଚିନ୍ତା ବଢ଼ାଇ ଦେଇଛି।
କାର୍ତ୍ତିକ ମାସରେ ରାଜଧାନୀରେ ପରିବା ବଜାରରେ ଚଢା ଦର ନିଆଁ । ସହରର ବିଭିନ୍ନ ପରିବା ମାର୍କେଟରେ ପରିବା ଦର ବଢ଼ିବାରେ ଲାଗିଛି। ଯାହା ଏବେ ଖାଉଟିଙ୍କ ପାଇଁ ଚିନ୍ତା ଜନକ । ଅଧିକାଂଶ ପରିବା କିଲୋ ପିଛା ୬୦ ଟପିଲାଣି । ଏନେଇ ରାଜଧାନୀର ଏକ ନମ୍ବର ପରିବା ହାଟ ଓ ୪ ନମ୍ବର ପରିବା ହାଟରେ ଗ୍ରାହକ କମିବାରେ ଲାଗୁଛନ୍ତି । ଯେଉଁଥି ପାଇଁ ଚିନ୍ତାରେ ବ୍ୟବସାୟୀ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର ବଜାରରେ ଟମାଟୋ, ଝୁଡଙ୍ଗ, କାଙ୍କଡ଼ ଆଦି ୬୦ ରୁ ଅଧିକ ଦର ରହିଥିବା ବେଳେ ବିନ୍ସ ରହିଛି 80 ଟଙ୍କା । ସେହିଭଳି ପୋଟଳ ୮୦ ଟଙ୍କା ଓ ପିଆଜ ରହିଛି ୬୦ ଟଙ୍କା । ପରିବା ଦର ବୃଦ୍ଧିକୁ ନେଇ ଖାଉଟି ବାଧ୍ୟ ହୋଇ ପୂର୍ବରୁ ଯେତିକି ପରିବା ନେଉଥିଲେ ତାହା ଢେର ମାତ୍ରାରେ କମିଯାଇଛି। ପରିବା ବ୍ୟାଗ ଫୁଲ ହେବା ପାଇଁ ୫୦୦ ଟଙ୍କାରୁ ଅଧିକ ହେଉଛି।
କାର୍ତ୍ତିକ ମାସରେ ସାଧାରଣତଃ ପରିବା ଦର ଅଧିକ ରହିଥାଏ। ତେବେ କିଛି ମାସ ହେବ ବାତ୍ୟା, ବନ୍ୟା ପାଇଁ ପରିବାର ଦର ଅଧିକ ରହିଛି। ରାଜ୍ୟ ବାହାରେ ପ୍ରବଳ ବର୍ଷା ଯୋଗୁଁ ପନିପରିବାର କ୍ଷୟକ୍ଷତି ଘଟିଛି। ଯାହା ଫଳରେ ଚଢା ଦରରେ ବ୍ୟବସାୟୀ ବିକ୍ରି କରୁଛନ୍ତି । ଏମିତି ଆକାଶ ଛୁଆଁ ଦର ଆଗକୁ ଲାଗିରହିବ ବୋଲି ବ୍ୟବସାୟୀ କହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ