ଭୁବନେଶ୍ବର: ସେମିଷ୍ଟାର ପରୀକ୍ଷାର ସମୟ ନିର୍ଘଣ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ । ଏହି ବିଶ୍ବବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ପରୀକ୍ଷା ସମୟ ବଦଳାଇବାକୁ ଦାବି କରିଛନ୍ତି । ଗତ 22ରେ ଏନେଇ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ହସ୍ତକ୍ଷେପ ଲୋଡିଥିଲେ । କିନ୍ତୁ ପରୀକ୍ଷାର ସମୟ ସାରଣୀ ନବଦଳିବାରୁ ପିଲାମାନେ ପୁଣି କୁଳପତିଙ୍କ ସମେତ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଛନ୍ତି ।
ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ପାଖାପାଖି 30ଟି କଲେଜର ଶତାଧିକ ଛାତ୍ରଛାତ୍ରୀ ପୁଣିଥରେ ଭିସିଙ୍କ ଅଫିସ ଘେରାଉ କରି ତୁରନ୍ତ ଏହାର ସମାଧାନ କରିବାକୁ ଦାବି ରଖିଛନ୍ତି । ସେମାନଙ୍କ କହିବା ଆନୁସାରେ ଗତ ଜାନୁଆରୀରେ ତୃତୀୟ ସେମିଷ୍ଟାର ଶେଷ ହେବାପରେ ମାତ୍ର 30ରୁ 35 ପ୍ରତିଶତ ପାଠ୍ୟକ୍ରମ ଶେଷ ହୋଇଛି । ଫଳରେ ପିଲାମାନଙ୍କ ପାଠ ଶେଷ ନହେବା ପୂର୍ବରୁ ଚତୁର୍ଥ ସେମିଷ୍ଟାର ପରୀକ୍ଷା ତାରିଖ ଘୋଷଣା ଫଳରେ ଛାତ୍ରଛାତ୍ରୀ ମାନେ ଦ୍ଵନ୍ଦରେ ପଡିଛନ୍ତି ।