ଭୁବନେଶ୍ବର: ପଶ୍ଚିମ ଓଡିଶା ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର । ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମହାବିଦ୍ୟାଳୟକୁ ମିଳିଲା UGC ବିଶ୍ବବିଦ୍ୟାଳୟ ମାନ୍ୟତା । UGC ଅଧିନିୟମ 1956, ଧାରା 2 (ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ଆଜି ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ । ଏହା ସହ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୂଆ ଶିକ୍ଷା ନୀତିରେ ଉଲ୍ଲେଖ ଥିବା ଗୁଣାତ୍ମକ ଶିକ୍ଷା ଉପଲବ୍ଧ ପୂରଣ କରିବ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜିସି ଅନିୟମ 1956 ର ଧାରା 12 (ବି) ରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ।