ଭୁବନେଶ୍ବର: ସାରା ଦେଶରେ ବର୍ତ୍ତମାନ କୋରୋନା ପ୍ରକୋପ ଜାରି ରହିଛି । ଏଥିରେ ସବୁଠାରୁ ଅଧିକ ଭାବେ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ । କାମଧନ୍ଦା ବନ୍ଦ ହେତୁ ସେମାନେ ବିଭିନ୍ନ ସ୍ଥାନରେ ଫସି ରହିବା ସହିତ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହା ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ବ୍ୟବସ୍ଥାକୁ ସଚଳ କରିବା ପାଇଁ କେତେକ ନିୟମ ପରିବର୍ତ୍ତନ କରିବା ସହ ଶ୍ରମିକଙ୍କୁ କାମକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଶ୍ରମ ଆଇନରେ ପରିବର୍ତ୍ତନ କରି ଦୈନିକ 8ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବାକୁ ନିର୍ଘଣ୍ଟ କରିଥିବା ଜଣାପଡ଼ିଛି ।
ଯାହାକୁ ରାଜ୍ୟର ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଠାରେ ଶତାଧିକ କର୍ମୀମାନେ ଏକତ୍ରିତ ହେବା ସହ ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି । ଏହି ଆଇନ ଦ୍ବାରା ଶ୍ରମିକମାନେ ଆହୁରି ଶୋଷିତ ହେବା ସହ ସେମାନଙ୍କ ଶାରୀରିକ ଓ ସାମାଜିକ ଦୁର୍ଗତି ବୃଦ୍ଧି ପାଇବ ବୋଲି କହିଛନ୍ତି । ଆହୁରି ମଧ୍ୟ ଦେଶରେ ଲକ୍ଷ ଲକ୍ଷ ଶ୍ରମିକ ଖାଇବାକୁ ନ ପାଇ ନିଜ ଘରକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରାଯାଉ ନଥିବା କହିଛନ୍ତି ।