ଭୁବେନଶ୍ବର: କୋରୋନା ସଙ୍କଟ ମଧ୍ୟରେ ଓଡିଶା ପାଇଁ ଭଲ ଖବର । ମହାମାରୀ ତାଣ୍ଡବ ବିଭିନ୍ନ କ୍ଷେତ୍ରରେ ନକରାତ୍ମକ ପ୍ରଭାବ ପକାଇଥିଲେ ମଧ୍ୟ ସରକାରଙ୍କ ଆର୍ଥିକ ସୁପରିଚାଳନା ଯୋଗୁଁ ରାଜ୍ୟ ରାଜସ୍ବରେ ବୃଦ୍ଧି ଘଟିଛି । ଗତ ଆର୍ଥିକ ବର୍ଷ ଅପେକ୍ଷା ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ବରେ 4 ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏନେଇ ମୁଖ୍ୟ ଅର୍ଥ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆସନ୍ତାକାଲି (ଗୁରୁବାର) ଅବସର ନେବାକୁ ଥିବାବେଳେ ଆଜି(ବୁଧବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ବାବଧାନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଆର୍ଥିକ ସ୍ଥିତିର ସମୀକ୍ଷା କରାଯାଇଛି ।
ଗତ ଆର୍ଥିକ ବର୍ଷରେ 28 ହଜାର 402 କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 29 ହଜାର 411.29 କୋଟିକୁ ବୃଦ୍ଧି ପାଇଛି । ଯାହାମଧ୍ୟରୁ ଗତ ବିତ୍ତୀୟ ବର୍ଷ ତୁଳନାରେ ଚଳିତ ବିତ୍ତୀୟ ବର୍ଷରେ 23.29 ପ୍ରତିଶତ ଅଣ-ଟ୍ୟାକ୍ସ ରାଜସ୍ବ ଆଦାୟ ହୋଇଛି । ଲକଡାଉନ ଓ ସଟଡାଉନ ମଧ୍ୟରେ ବିଭିନ୍ନ ଭିତ୍ତିଭୂମି, ସାମାଜିକ, କୃଷି ଓ ଅନ୍ୟାନ୍ୟ ସହଯୋଗୀ କ୍ଷେତ୍ରରେ ପ୍ରାୟ 60 ହଜାର କୋଟି ବିନିଯୋଗ କରାଯାଇଥିବା ଜଣାପଡିଛି ।
ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନର ସମୀକ୍ଷା କରି ମୁଖ୍ୟ ଅର୍ଥ ସଚିବ ଅଶୋକ କୁମାର ମୀନା ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବିଭାଗୀୟ ଅଧିକାରୀମାନଙ୍କୁ ବଜେଟ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଦ୍ରୁତ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିଭିନ୍ନ ଜୀବିକା ସୃଷ୍ଟିକାରୀ ପ୍ରକଳ୍ପଗୁଡିକରେ ଅର୍ଥ ବିନିଯୋଗ ପାଇଁ କହିଛନ୍ତି । ତେବେ ଏହା ହେଉଛି ମୁଖ୍ୟ ଶାସନ ସଚିବଙ୍କ ଶେଷ ବୈଠକ ।