ଓଡିଶା

odisha

ETV Bharat / city

ଓଡିଶାର ୨୩୨ଟି ରେଳଷ୍ଟେସନରେ ସ୍ଥାପନ ହେବ ପୂର୍ବନିର୍ମିତ ଶୌଚାଳୟ

ଓଡ଼ିଶାର ୨୩୨ଟି ରେଳଷ୍ଟେସନର ବିସ୍ତୃତ ସ୍ଥାନମାନଙ୍କରେ ପୂର୍ଵନିର୍ମିତ ଶୌଚାଳୟ ସ୍ଥାପନ କରାଯିବ । ଏହାକୁ ଭାରତୀୟ ରେଳବାଇ, ରାଇଟ୍ସ ଏବଂ ଏମସିଏଲ ମିଳିତ ଭାବେ କାର୍ଯ୍ୟକରୀ କରିବେ । ଏଥିପାଇଁ ଏକ ଚୁକ୍ତିପତ୍ର ପତ୍ର ସ୍ୱାକ୍ଷରିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Jun 3, 2019, 11:34 PM IST

ଭୁବନେଶ୍ବର: ସ୍ୱଚ୍ଛ ଭାରତ ମିଶନର ପ୍ରଚାର ପ୍ରସାର ଲକ୍ଷ୍ୟରେ ଓଡ଼ିଶାର ୨୩୨ଟି ରେଳଷ୍ଟେସନର ବିସ୍ତୃତ ସ୍ଥାନମାନଙ୍କରେ ପୂର୍ଵନିର୍ମିତ ଶୌଚାଳୟ ସ୍ଥାପନ କରାଯିବ । ଏହାକୁ ଭାରତୀୟ ରେଳବାଇ, ରାଇଟ୍ସ ଏବଂ ଏମସିଏଲ ମିଳିତ ଭାବେ କାର୍ଯ୍ୟକରୀ କରିବେ । ଏଥିପାଇଁ ଏକ ଚୁକ୍ତିପତ୍ର ପତ୍ର ସ୍ୱାକ୍ଷରିତ ହୋଇଛି ।

ସୋମବାର ଭୁବନେଶ୍ୱର ସ୍ଥିତ ମହାନଦୀ କୋଲ ଫିଲଡ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତୀୟ ଏକ ଚୁକ୍ତିନାମା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତଟ ରେଳପଥ ପ୍ରମୁଖ ଯନ୍ତ୍ରୀ ଏନ. ଏସ. ଉଇକେ, ଏମସିଏଲ ସମ୍ବଲପୁର ମହାପ୍ରବନ୍ଧକ(ସି.ଏସ.ଆର) ବି ସାଇରାମ, ନୂଆଦିଲ୍ଲୀ ଗୁରଗାଓଁ ରାଇଟ୍ସ ମହାପ୍ରବନ୍ଧକ ପ୍ରେମ ରଞ୍ଜନ କୁମାର ଏବଂ ପୂର୍ବତଟ ରେଳପଥ ମୁଖ୍ୟ ଯନ୍ତ୍ରୀ (ଯୋଜନା) ବ୍ରଜେଶ ମିଶ୍ର ଯୋଗଦେଇ ଏହି ବୁଝାମଣା ପତ୍ରକୁ ସ୍ୱାକ୍ଷରିତ କରିଛନ୍ତି ।

ରାଇଟ୍ସ ଏହି ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ହୋଇଥିବାବେଳେ ପ୍ରକଳ୍ପ ସ୍ଥାପନ ପରେ ରେଳବାଇ ଏହାକୁ ନିଜ ଅଧୀନକୁ ଆଣି ଏହାର ରକ୍ଷଣାବେକ୍ଷଣ ଯଥା ସଫେଇ , ଜଳଯୋଗାଣ ଓ ଇଲେକ୍ଟ୍ରି ବ୍ୟବସ୍ଥା ଯୋଗାଣ ଭଳି କାର୍ଯ୍ୟ କରିବ । ଏହି ପ୍ରକଳ୍ପ ପାଇଁ ସମୁଦାୟ ୫୮.୦୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏମସିଏଲ ଏଥିପାଇଁ ପାଣ୍ଠି ଯୋଗାଇବ ।

ଏହି ପ୍ରକଳ୍ପ ବର୍ଷକ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି I

ନିର୍ମାଣ କରାଯିବାକୁ ଥିବା ୨୩୨ଟି ଶୌଚାଳୟ ମଧ୍ୟରୁ ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାର ୧୭୨ ଟି ଷ୍ଟେସନ, ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ୫୫ଟି ଷ୍ଟେସନ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ଅଧୀନରେ ୫ଟି ରେଳପଥ ଅନ୍ତର୍ଭୁକ୍ତ । ପ୍ରତିଟି ଶୌଚାଳୟ ସଂବର୍ଗରେ ୭ଟି ଶୌଚାଳୟ ରହିବ ଯେଉଁଥିରେ ପୁରୁଷମାନଙ୍କ ପାଇଁ ୩ଟି ଶୌଚାଳୟ ସହିତ ୪ଟି ପରିଶ୍ରାଗାର, ମହିଳାମାନଙ୍କ ପାଇଁ ୩ଟି ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ଗୋଟିଏ ଉଦ୍ଧିଷ୍ଟ ।

ଏହା ସହିତ ଓଭରହେଡ଼ ପାଣିଟାଙ୍କି, ୱାସ ବେସିନ ଏବଂ ଇଲେକ୍ଟ୍ରିକାଲ ଫିଟିଙ୍ଗସ ଉପଲବ୍ଧ ରହିଛି । ଏଥିରେ ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟରେ ନାପକିନ ଭେଣ୍ଡିଙ୍ଗ ମେସିନ ଓ ଇନସିନେରେଟର ଏବଂ ପୁରୁଷମାନଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟରେ କଣ୍ଡୋମ ଭେଣ୍ଡିଙ୍ଗ ମେସିନ ଉପଲବ୍ଧ ରହିବ । ଏହି ଶୌଚାଳୟ ନିର୍ମିତ ହେଲେ ରେଳ ଯାତ୍ରୀ, ସାଧାରଣ ଜନତା, ହକର, ଭେଣ୍ଡର, ଅଟୋ ରିକ୍ସା ଚାଳକ, କୁଲି, ରେଳବାଇ କର୍ମଚାରୀ ଏବଂ ଦିବ୍ୟାଙ୍ଗ ଲୋକେ ଉପକୃତ ହେବେ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details