ଓଡିଶା

odisha

ETV Bharat / city

ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ, କାନ୍ଦୁଛି ମା ଝୁରୁଛି ଗାଁ... - କନ୍ଧମାଳ

ମୋ ପୁଅର ବଳିଦାନ କେବେ ବ୍ୟର୍ଥ ଯିବନି । ମୋ ପୁଅର ରକ୍ତ ହିଁ ବଦଲା ନେବ ଆଉ ଚୀନକୁ ଜବାବ ଦେବ । ଛଳ ଛଳ ଆଖି, କୋହଭରା କମ୍ପନରେ ଏମିତି କିଛି କଥା କହୁଛି କୋଳ ଖାଲି କରିଥିବା ସେଇ ବୀରଯବାନର ବୀରଙ୍ଗନା ମାଆଟି । ଶେଷରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ସମାଧୀ ଦିଆଯାଇଥିବା ବେଳେ ଗାଁ ଶଶ୍ମାନରେ ଜଳିଥିଲା ନନ୍ଦୁରାମ ସୋରେନଙ୍କ ଚିତା । ପଢନ୍ତୁ ସଂପୂର୍ଣ୍ଣ ଖବର..

the-funeral-of-the-martyr-was-completed
the-funeral-of-the-martyr-was-completed

By

Published : Jun 19, 2020, 9:16 PM IST

Updated : Jun 19, 2020, 9:48 PM IST

କନ୍ଧମାଳ/ବାରିପଦା: ସହିଦ ଯବାନ ଅମର ରହେ, ବୀର ଯବାନ ଅମର ରହେ ନାରାରେ ପ୍ରକମ୍ପିତ ରାଇରଙ୍ଗପୁରରୁ ରାଇକିଆ । ସଭିଙ୍କ ଆଖିରେ ଅସରାଏ ଲୁହ, ବେଦନାରେ ଭରପୂର ହୃଦୟର କୋହ । ଛାତିକୁ ପଥର କରି ପୁଅର ମରଶରୀରକୁ ମା ଶେଷ ସ୍ପର୍ଶ କରୁଛି ତ, ପୁଣି ମଥାର ସିନ୍ଦୁରକୁ ମଥା ପାତି ସହି ଶହୀଦ ସ୍ବାମୀ ପାଇଁ ଗର୍ବିତ ବୋଲି କହିଛି ସ୍ତ୍ରୀ । ଏମିତି କିଛି ହତବାକ ଆଉ ଆବାକ କଲା ଭଳି ପରିବେଶ ସୃଷ୍ଟି ହୋଇଛି କନ୍ଧମାଳର ବିଅରପାଙ୍ଗା ଏବଂ ମୟୂରଭଞ୍ଜର ବଡ଼ଚମ୍ପାଉଦା ଗ୍ରାମରେ ।

ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ, କାନ୍ଦୁଛି ମା ଝୁରୁଛି ଗାଁ
ଭାରତ-ଚୀନ ସୀମାନ୍ତ ଗଲୱାନ ଘାଟିରେ 15 ତାରିଖ ରାତିରେ ଘଟିଥିବା ସେହି ସଂଘର୍ଷପୂର୍ଣ୍ଣ ଘଟଣାରେ ସହିଦ ହୋଇଥିଲେ ଦୁଇ ଓଡ଼ିଆ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନ । ଗୁରୁବାର ସେମାନଙ୍କ ମରଶରୀରକୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ତମାମ ନେତୃତ୍ୱ । ଆଜି ରାଇରଙ୍ଗପୁରର ବିଜାତଳାର ବଡ଼ଚମ୍ପାଉଦା ଗ୍ରାମରେ ନନ୍ଦୁରାମଙ୍କ ପାର୍ଥୀବ ଶରୀର ପହିଁଚିଥିବା ବେଳେ, ରାଇକିଆର ବିଅରପାଙ୍ଗାରେ ପହଁଚିଥିଲା ଚନ୍ଦ୍ରକାନ୍ତଙ୍କ ମରଶରୀର । ସେପଟେ ନିଜ ମାଟିର ଶହୀଦ ବୀରପୁତ୍ରର ଶେଷ ଦର୍ଶନ ପାଇଁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପୁଣି ବନ୍ଧୁପରିଜନ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ହୋଇଥିଲା ଅସମ୍ଭବ ଭିଡ଼ । ସହିଦ ନନ୍ଦୁରାମ ଏବଂ ଚନ୍ଦ୍ରକାନ୍ତଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ ଅନର ସହିତ ପ୍ରଦାନ କରାଯାଇଥିଲା ରାଷ୍ଟ୍ରୀୟ ତୋପସଲାମୀ । ଶେଷରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ସମାଧୀ ଦିଆଯାଇଥିବା ବେଳେ ଗାଁ ଶଶ୍ମାନରେ ଜଳିଥିଲା ନନ୍ଦୁରାମ ସୋରେନଙ୍କ ଚିତା । ସେପଟେ କିନ୍ତୁ ଛଳ ଛଳ ଆଖି ଆଉ କୋହଭରା କଣ୍ଠରୁ ଶୁଭୁଥାଏ ଶହୀଦ ଯବାନ ଅମର ରହେ, ଶହୀଦ ଯବାନ ଅମର ରହେ.....



କନ୍ଧମାଳରୁ ସଦାଶିବ ପାତ୍ର ଏବଂ ରାଇରଙ୍ଗପୁରରେ ସଞ୍ଜୟ ପରିଡ଼ା , ଇଟିଭି ଭାରତ

Last Updated : Jun 19, 2020, 9:48 PM IST

ABOUT THE AUTHOR

...view details