ଭୁବନେଶ୍ବର: ଦିଲ୍ଲୀ ଦରବାରରେ କେନ୍ଦ୍ରର 3 କୃଷି ଆଇନକୁ ବିରୋଧ କରି ଏବେ ବି ଅଟଳ ଅତୁଟ ଶହ ଶହ ଚାଷୀ । ଯାହାକୁ ନେଇ କଂଗ୍ରେସ ପକ୍ଷରୁ କୃଷକଙ୍କୁ ଦୃଢ଼ ସମର୍ଥନ ଜଣାଇବା ସହ 3 ଗୋଟି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆସନ୍ତା 15ରେ କରିବ ରାଜଭବନ ଘେରାଉ ।
ରାଜଭବନ ଘେରାଉ କରିବ କଂଗ୍ରେସ ଏହାସହ ଡିଜେଲ ଓ ପେଟ୍ରୋଲ ଦରବୃଦ୍ଧିକୁ ମଧ୍ୟ ବିରୋଧ ପ୍ରସଙ୍ଗରେ ସାମିଲ କରାଯାଇଛି । ଯାହାକୁ ବିରୋଧ କରି ଆଗାମୀ ୧୫ ତାରିଖ ଶୁକ୍ରବାର ‘କିଷାନ ଅଧିକାର ଦିବସ' ଭାବେ ପାଳନ କରାଯିବା ନେଇ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂମ୍ପାଦକ ଓ ପ୍ରଭାରୀମାନଙ୍କର ବୈଠକରେ ନିଷ୍ପତି ହୋଇଥିବାବେଳେ ବିକ୍ଷୋଭ ରାଲି ମାଧ୍ୟମରେ ରାଜଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।
ଏହି କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଲୋକସଭା ଓ ବିଧାନସଭା ପ୍ରାର୍ଥୀ, କଂଗ୍ରେସ କର୍ମକର୍ତ୍ତା, ଏଆଇସିସି ଓ ପିସିସି ସଭ୍ୟ, ସାମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଓ କର୍ମକର୍ତା, ପିସିସି ପର୍ଯ୍ୟବେକ୍ଷକଗଣ ଜିଲ୍ଲା/ବ୍ଲକ ନଗର କଂଗ୍ରେସ ସଭାପତି, କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଷ୍ଫଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ଶ୍ରୀ କେ.ସି. ଭେନୁ ଗୋପାଳ ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଗାମୀ 15 ତାରିଖ ପୂର୍ବାହ୍ନ ୧୧ଟାରେ ଏକ ରାଲି ଭୁବନେଶ୍ବର କଂଗ୍ରେସ ଭବନରୁ ବାହାରି ରାଜଭବନ ଠାରେ ପହଞ୍ଚିବ । ଏତଦ ବ୍ୟତୀତ ସମସ୍ତ ନେତୃବୃନ୍ଦ କଳା କୃଷି ଆଇନ ପ୍ରତ୍ୟାହାର ଓ ତୈଳଦର ପ୍ରତ୍ୟାହାର ଦାବି କରି ସ୍ପିକ-ଅପ କାମ୍ପେନ ମାଧ୍ୟମରେ ଭିଡିଓ ଅପଲୋଡ କରିବାକୁ ନିର୍ଦ୍ଦେଶ ଆସିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ