ଭୁବନେଶ୍ବର: ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲା, ମୃତକଙ୍କ ପରିବାରଙ୍କ ସହ ନ ଭେଟି ମହିଳା କମିଶନ ସାରି ଦେଇଛନ୍ତି ତଦନ୍ତ। ଉଭୟ ମନାବାଧିକାର କମିଶନ ଓ ମହିଳା କମିଶନଙ୍କ ନିକଟରେ ଯାଜପୁରର ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଅଭିଯୋଗ କରିଛନ୍ତି ସ୍ବାମୀ ସୁଶୀଲ। ଘଟଣାର ପୁନଃ ତଦନ୍ତ କରିବାକୁ ଉଭୟ ମାନବାଧିକାର ଓ ମହିଳା କମିଶନଙ୍କ ନିକଟରେ ଦାବି କରିଛନ୍ତି ସୁଶୀଲ ବିଶ୍ବାଳ।
ମହିଳା କମିଶନ ତଦନ୍ତରେ ଅସନ୍ତୁଷ୍ଟ ସ୍ମିତାଙ୍କ ସ୍ବାମୀ ସ୍ମିତାଙ୍କୁ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ବେଆଇନ କାମ କରିବାକୁ ବାଧ୍ୟ କରୁଥିଲେ। ସେଥିରେ ସ୍ମିତା ରାଜି ନହେବାରୁ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ସ୍ମିତାଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ। ଏପଟେ କିନ୍ତୁ ଟିକେ ଭିନ୍ନ ଧରଣର ତଦନ୍ତ କରିଛି ମହିଳା କମିଶନ। ମୃତ ସ୍ମିତାରାଣୀଙ୍କ ପରିବାରକୁ କୌଣସି ପଚରାଉଚରା ନକରି ତଦନ୍ତ ସାରି ଦେଇଛନ୍ତି।
ମହିଳା କମିଶନ ଓ ତାଙ୍କ ଟିମ ଯାଜପୁର ଯାଇ ଘଟଣାର ତଦନ୍ତ କରିଥିଲେ । ସ୍ଥାନୀୟ ଥାନା ଓ ସରପଞ୍ଚଙ୍କ ଘରେ ଘଣ୍ଟା ଘଣ୍ଟା ବସି ତଦନ୍ତ ସାରି ଦେଇଛନ୍ତି। ହେଲେ ମହିଳା କମିଶନ ମୃତକଙ୍କ ସ୍ବାମୀ ବା ତାଙ୍କ ପରିବାର ଲୋକଙ୍କ ସହ କୌଣସି ଆଲୋଚନା କରି ନାହାନ୍ତି। ତେବେ ଏନେଇ କମିଶନ କହିଛନ୍ତି ଯେ ସୁଶୀଲ ବିଶ୍ବାଳଙ୍କୁ ଦେଖା କରିଛନ୍ତି । ପ୍ରଥମେ ସୁଶୀଲଙ୍କୁ ଚିହ୍ନି ପାରିନଥିବା କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା।
ତେବେ ପରିବାର ଲୋକଙ୍କୁ ନଭେଟି ଘଟଣାର ତଦନ୍ତ ସାରିବା ପରେ ପ୍ରଶ୍ନ ଉଠୁଛି ମହିଳା କମିଶନ କେତେ ଦୂର ନିରପେକ୍ଷ ତଦନ୍ତ କରିଛନ୍ତି ? ମୃତ ସ୍ମିତାରାଣୀଙ୍କ ସ୍ବାମୀ ପୁଣି ଥରେ ମହିଳା କମିଶନଙ୍କ ଦ୍ବାରସ୍ଥ ହେବା ପରେ, ଆବଶ୍ୟକସ୍ଥଳେ ଘଟଣାର ପୁନଃ ତଦନ୍ତ କରାଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ