ଭୁବନେଶ୍ବର:ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ । ସପ୍ତମ ବେତନ ଲାଗୁ ପ୍ରତିଶୃତି ଦେଇ ଭିନ୍ନ ଢଙ୍ଗରେ ଶିକ୍ଷକ ଓ କର୍ମଚାରୀଙ୍କୁ ଠକାଯାଇଥିବା ଅଭିଯୋଗ କରିଛି ଶିକ୍ଷକ ସଂଘ । ଏହାର ପ୍ରତିବାଦରେ ଗୁରୁବାର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ୪୭ ହଜାର ଶିକ୍ଷକ ଓ କଲେଜ କର୍ମଚାରୀ । ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସମସ୍ତ ଶିକ୍ଷକ ବିଧାନସଭା ଘେରିବା ପାଇଁ ପ୍ରୟାସ କରିଥିବା ଦେଖିବାକୁ ମିଳିଛି ।
ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅବିକଳ ସପ୍ତମ ବେତନ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଲାଗୁ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କ୍ୟାବିନେଟରେ ମଞ୍ଜୁର ମଧ୍ୟ ହେଲା । ହେଲେ ପରବର୍ତ୍ତୀ ସମୟରେ ପେ ଓ ଗ୍ରେଡ ପେ ମିଶାଇ ସପ୍ତମ ବେତନ ଦରମା ଲାଗୁ କରିବାକୁ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କଲେ । ଯାହାକୁ ଦେଖିଲେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ନିଜର ପ୍ରାପ୍ୟରୁ ବଞ୍ଚିତ ହେଉଥିବା କହିଛନ୍ତି ।