ଭୁବନେଶ୍ବର: ଓଡିଶା ଫେରିଲା ମିଛ ଅପହରଣର ନାଟକ ରଚିଥିବା ସ୍ବିଗି ବୟ ପତିତ ପାବନ ପୃଷ୍ଟି (ଚିକୁ) । ଫେରାର୍ ହୋଇଥିବା ଝିଅ ସହ ଓଡିଶା ଆଣିଛି ଧଉଳି ଥାନା ପୋଲିସ ଓ ସ୍ପେଶାଲ ସ୍କୁୱାର୍ଡ଼ର ୪ ଜଣିଆ ଟିମ । ଅନ୍ୟପଟେ କାହାଣୀ ଆଉ ଏକ ନୂଆ ମୋଡ ନେଇଛି । ଫେରାର୍ ଥିବା ସ୍ବିଗି ବଏଙ୍କ ପତ୍ନୀ ତାଙ୍କ ସପକ୍ଷରେ ବାହାରିଛନ୍ତି । ସେ ଝିଅ କିଏ ମୁଁ ଚିହ୍ନିନି । ମୋ ସ୍ବାମୀ ନିର୍ଦ୍ଦୋଶ, ସେ କିଛି କରିନାହାନ୍ତି, ତାଙ୍କୁ ଛାଡୁ ଦିଅନ୍ତୁ ବୋଲି ସ୍ବିଗି ବଏଙ୍କ ପତ୍ନୀ ଦାବି କରିଛନ୍ତି ।
ତେବେ ଥାନାରେ ପହଞ୍ଚିଛନ୍ତି ଚିକୁନଙ୍କ ପରିବାର । ମୋ ସ୍ଵାମୀ ଖାଲି ମୋର ବୋଲି କହିଛନ୍ତି ଚିକୁନଙ୍କ ପତ୍ନୀ ଅହଲ୍ୟା । ଅନ୍ୟପଟେ ତାଙ୍କ ମାଆ କହିଛନ୍ତି ମୋ ପୁଅ ମୋ ବୋହୁ ଏକାଠି ରହନ୍ତୁ । ଆମେ 2 ଟା ବୋହୂ ରଖି ପାରିବୁନି । ଅନ୍ୟ ପଟେ ଝିଅ ଉପରେ ଦୋଷ ଲଦିଛନ୍ତି ଚିକୁନଙ୍କ ଭାଇ । ଚିକୁନ୍ ବାହା ହୋଇଥିଲା ବୋଲି ସେ ଝିଅ ଜାଣିଥିଲା । ତେଣୁ ଚିକୁନର କିଛି ଭୁଲ୍ ନାହିଁ ସେ ଝିଅର ଭୁଲ୍ । ସେ ଜାଣି ଶୁଣି ତା ଜୀବନକୁ ନଷ୍ଟ କରିଛି । ଆମ ଚିକୁନ୍ ତା ସ୍ତ୍ରୀ ସହ ରହୁ ବୋଲି ମଧ୍ୟ ତାଙ୍କ ଭାଇ କହିଥିଲେ । ଅନ୍ୟପଟେ ଏବେ ବି ଚିକୁନ୍ ଏବଂ ତାଙ୍କ ପ୍ରେମିକାକୁ ଥାନାରେ ରଖି ପଚରାଉଚରା କରୁଛି ପୋଲିସ । ଏହା ସହ ଚିକୁନଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିପାରେ ଧଉଳି ପୋଲିସ ।
ଅପହରଣ ନାଟକ ପରେ ସୋମବାର ମଧ୍ୟପ୍ରଦେଶର କଟନୀ ଜିଆରପି ପୋଲିସ ସେମାନଙ୍କୁ ଠାବ କରି କମିଶନରେଟ ପୋଲିସକୁ ଜଣାଇଥିଲେ । ଆଜି(ଗୁରୁବାର) ସକାଳେ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହା ସହିତ ଏମାନଙ୍କୁ ଓଡିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପତିତ ଯେଉଁ ଜାଗାରେ ଅପହରଣର ମିଛ ନାଟକ ରଚିଥିଲେ ସେ ଜାଗାକୁ ନେଇ ଅଧିକ ତଦନ୍ତ କରିପାରେ ପୋଲିସ । ଏନେଇ ଧଉଳି ଥାନା ପୋଲିସ ଗୋପ ପୋଲିସ ସହ ଯୋଗାଯୋଗ କରୁଥିବା ଜଣାପଡିଛି ।