ଭୁବନେଶ୍ବର:ତୃତୀୟ ଶ୍ରେଣୀ ପିଲାଙ୍କୁ ପଣିକିଆ ନଆସିବା ଘଟଣାକୁ ନେଇ ମୁହଁ ଖୋଲିଛି ଅଭିଭାବକ ମହାସଂଘ । ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାରେ ଅଭାବ ରହୁଛି । ସରକାରୀ ସ୍କୁଲ୍ରେ ଦିଲ୍ଲୀ ମଡେଲ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ଅଭିଭାବକ ମହାସଂଘ ।
ପିଲାଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ଅଭାବ ରହିଛି : ଅଭିଭାବକ ମହାସଂଘ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 6T ଫର୍ମୁଲାକୁ ଫୋକସ୍ ଦେଇଛନ୍ତି । ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀ ଏବେ ୨୮ ତାରିଖ ଯାଏଁ ୪ଜିଲ୍ଲା ଗସ୍ତରେ ଅଛନ୍ତି । ଏହି କ୍ରମରେ ବାଲେଶ୍ୱର ମଠସାହି ମହାବୀର ନୋଡାଲ୍ ୟୁପି ସ୍କୁଲ୍କୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହି ସମୟରେ ସ୍କୁଲ୍ର ତୃତୀୟ ଶ୍ରେଣୀର ୪ରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ୩କ ପଣିକିଆ ପଚାରିଥିଲେ । ତେବେ କୌଣସି ଛାତ୍ରଛାତ୍ରୀ ୩କ ପଣିକିଆ ଡାକି ପାରିନଥିଲେ । ଏହାକୁ ନେଇ କ୍ଷୁବ୍ଧ ହେବା ସହ ଗଣ ଶିକ୍ଷାମନ୍ତ୍ରୀ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କ ଦରମା ବନ୍ଦ କରିଛନ୍ତି ।
ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଅଭିଭାବକ ମହାସଂଘ ଅଧ୍ୟକ୍ଷ । ସେ କହିଛନ୍ତି ଯେ, "୩କ ପଣିକିଆ ନଆସିବା ନେଇ ସମ୍ପୃକ୍ତ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ହୋଇଛି । ଏହାକୁ ନେଇ ତାଗିଦ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ । ଏହି ଚିତ୍ର କେବଳ ବାଲେଶ୍ବରରେ ନାହିଁ । ରାଜ୍ୟର ଉପାନ୍ତ ଅଞ୍ଚଳରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳୁଛି । ଏହାକୁ ନେଇ କେବଳ ଶିକ୍ଷକଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଯଥାର୍ଥ ନୁହେଁ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଛି । ରାଜ୍ୟରେ ଦିଲ୍ଲୀ ମଡେଲ ଶିକ୍ଷା ପଦ୍ଧତି ଲାଗୁ କରିବାର ଆବଶ୍ୟକତା ରହିଛି ।"
ମାଲକାନଗିରି, କୋରାପୁଟ ଭଳି ଅଞ୍ଚଳରେ ପିଲା ଠିକ୍ ଭାବରେ ସ୍କୁଲ୍ ଆସୁ ନାହାନ୍ତି । ଏବେ ଯେଉଁମାନେ ତୃତୀୟ ପଢ଼ୁଛନ୍ତି ସେମାନେ ଦୁଇ ବର୍ଷ ହେଲା ସ୍କୁଲ ଯାଇନାହାନ୍ତି । ଏବେ ଦେଢ଼ ମାସ ହେଲା ସ୍କୁଲ୍ ଯାଉଛନ୍ତି । କୋରୋନା କାଳରେ ସଠିକ ଢଙ୍ଗରେ ତାଙ୍କ ଶିକ୍ଷାଦାନ ହୋଇ ପାରିନାହିଁ । କେବଳ ତୃତୀୟ ନୁହେଁ କେତେକ ସ୍କୁଲ୍ରେ ପଞ୍ଚମ ପିଲାଙ୍କୁ ମଧ୍ୟ ୩କ ପଣିକିଆ ଆସୁନି । କେଉଁଠି ନା କେଉଁଠି ସରକାର ଗୁଣାତ୍ମକ ଶିକ୍ଷା ଦେବାରେ ବିଫଳ ହୋଇଛନ୍ତି । ତେଣୁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିଷ୍ଠାର ସହିତ କାମ କରିବାକୁ ଗଣ ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।
ସେପଟେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଲ୍ଟିମେଟମ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ । ୧୫ ଦିନ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ୧୫କ ପଣିକିଆ ଶିକ୍ଷା ଦେବାକୁ ନିର୍ଦ୍ଦେଶ ରହିଛି । ପିଲା ପଣିକିଆ ଡାକିଲା ବେଳେ ଥଙ୍ଗେଇଲେ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ହେବ ବୋଲି ଚରମ ବାଣୀ ଶୁଣାଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।