ଓଡିଶା

odisha

ETV Bharat / city

ରାସ୍ତାରେ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରନ୍ତୁ, ଆଉ ପାଆନ୍ତୁ 2000 ଟଙ୍କା - ସଡ଼କ ଦୁର୍ଘଟଣାଗ୍ରସ୍ତକୁ ସାହାଯ୍ୟ କଲେ ମିଳିବ ଅର୍ଥରାଶି

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ରୋକିବା ନେଇ ପଦକ୍ଷେପ ନେଲା ରାଜ୍ୟ ପରିବହନ ବିଭାଗ । ଦୁର୍ଘଟଣାରେ ଆହତ ଲୋକଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇଲେ ବା ତାଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କଲେ ମିଳିବ ୨ହଜାର‌ ଟଙ୍କା । ପୂର୍ବରୁ ଡାକ୍ତରଙ୍କ ସୁପାରିଶ କ୍ରମେ ସହଯୋଗ ରାଶି ଦିଆଯାଉ ଥିବାବେଳେ ବର୍ତ୍ତମାନ ପୋଲିସ ମଧ୍ୟ ସୁପାରିଶ କରିପାରିବ । ଅଧିକ ପଢ଼ନ୍ତୁ

state transport department to reward for helping road accident victims
ସଡ଼କ ଦୁର୍ଘଟଣାଗ୍ରସ୍ତକୁ ସାହାଯ୍ୟ କଲେ ମିଳିବ 2ହଜାର ଟଙ୍କା

By

Published : Sep 10, 2022, 1:28 PM IST

ଭୁବନେଶ୍ବର: ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇଲେ ବା ତାଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କଲେ ମିଳିବ ୨ହଜାର‌ଟଙ୍କା । ୨୦୧୮ରୁ ରାଜ୍ୟ ପରିବହନ ବିଭାଗ ଏପରି ନୀତି ଆଣିଛି । ପୂର୍ବରୁ ସାହାଯ୍ୟକାରୀଙ୍କୁ ଡାକ୍ତରଙ୍କ ସୁପାରିଶ କ୍ରମେ ସହଯୋଗ ରାଶି ଦିଆଯାଉଥିଲା । ଏବେ ପୋଲିସ ମଧ୍ୟ ସୁପାରିଶ କରିପାରିବ । ଯାହା ଫଳରେ ଆରଟିଓଙ୍କ ତରଫରୁ ପୁରସ୍କାର ରାଶି ପାଇ ପାରିବେ ସାହାଯ୍ୟକାରୀ । ସଡକ ଦୁର୍ଘଟଣା ହାର ରୋକିବାକୁ ଏଭଳି ନୀତି ଆପଣାଇଛି ରାଜ୍ୟ ପରିବହନ ବିଭାଗ (State Transport Department) ।

ଉତ୍ତମ ସମାରିଟାନ ନୀତି ଅନୁଯାୟୀ, ସଡକ ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରୁଥିବା ନାଗରିକମାନଙ୍କୁ 2000 ଟଙ୍କା ପୁରସ୍କୃତ ରାଶି ମିଳିବ । କାରଣ ସଡ଼କ ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟାକୁ ‘ସୁବର୍ଣ୍ଣ ଘଣ୍ଟା’ କୁହାଯାଏ । ଏହି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ବଞ୍ଚାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏନେଇ ସରକାର ରାଜ୍ୟରେ ଉତ୍ତମ ସମାରିଟାନ ନୀତି -2018 ପ୍ରବର୍ତ୍ତନ କରିଥିଲେ। ଯଦି ଦୁର୍ଘଟଣାଗ୍ରସ୍ତ ଲୋକଟି ସୁବର୍ଣ୍ଣ ଘଣ୍ଟା ମଧ୍ୟରେ ସହାୟତା ପାଆନ୍ତି, ତେବେ ସଡ଼କ ଦୁର୍ଘଟଣାର ମୃତ୍ୟୁ 50 ପ୍ରତିଶତ ହ୍ରାସ କରାଯାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ:Odisha Assembly: ଗତ 5 ବର୍ଷରେ ଦୁର୍ଘଟଣା ନେଇଛି 25 ହଜାର 257 ଜୀବନ

ତେବେ ଏହି ନୀତିର ବିଦ୍ୟମାନ ଧାରା 21 ଅନୁଯାୟୀ, ହସ୍ପିଟାଲ କର୍ତ୍ତୃପକ୍ଷ ଅଥବା ଦୁର୍ଘଟଣାଗ୍ରସ୍ତ ରୋଗୀ ଗ୍ରହଣ କରୁଥିବା ସର୍ଜନ, ସ୍ଥାନୀୟ ଆରଟିଓ ମାନଙ୍କୁ ପୁରସ୍କାର ପାଇଁ ନାମ ସୁପାରିଶ କରିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଏବେ ଡାକ୍ତର (ଆସିଷ୍ଟାଣ୍ଟ ସର୍ଜନ)ଙ୍କ ବ୍ୟତୀତ ପୋଲିସ ଅଧିକାରୀ ଯଥା ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସମ୍ପୃକ୍ତ ପୋଲିସ ଷ୍ଟେସନର IO/EO/IICଙ୍କୁ ନାମ ସୁପାରିଶ କରିବାକୁ ଅନୁମତି ଦିଆଯାଇପାରେ । ଏହାଦ୍ୱାରା ଅଧିକ ସଂଖ୍ୟକ ଭଲ ସମାରିଟାନମାନଙ୍କୁ ସେମାନଙ୍କର ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇପାରିବ । ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରି ଉକ୍ତ ନୀତିର ଧାରା 21କୁ ସଂଶୋଧନ କରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଆସିଷ୍ଟାଣ୍ଟ ସର୍ଜନ ବ୍ୟସ୍ତତା ଯୋଗୁଁ ସହାୟତା ରାଶି ପାଇଁ ସୁପାରିଶ କରିପାରୁନଥିଲେ । କିନ୍ତୁ ପୋଲିସ ଅଧିକାରୀଙ୍କ ସୁପାରିଶ କ୍ରମେ ଆରଟିଓ ସହଯୋଗ ରାଶି ପ୍ରଦାନ କରିପାରିବେ।

ସୂଚନା ଥାଉକି, ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ 5 ବର୍ଷରେ ଦୁର୍ଘଟଣାରେ ଯାଇଛି 25 ହଜାର 257 ଜଣଙ୍କ ଜୀବନ । ଦୁର୍ଘଟଣାରେ ଆହତ ହୋଇଛନ୍ତି 52 ହଜାର 769 ବ୍ୟକ୍ତି । ଗତ 5 ବର୍ଷରେ ଅଜଣା ଗାଡି ଧକ୍କାରେ 4 ହଜାର 947 ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଗତ ପାଞ୍ଚ ବର୍ଷରେ ଦିନକୁ ହାରାହାରି 14 ଜୀବନ ଯାଉଛି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details