ଭୁବନେଶ୍ବର:୨୦୧୯ ପୂର୍ବରୁ ଗାଡି କିଣିଥିଲେ ସାବଧାନ । ଆପଣଙ୍କର ଗାଡିର ନମ୍ବର ପ୍ଲେଟକୁ ବଦଳାଇ କରନ୍ତୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ (HSRP Registration) । ନଚେତ ଅକ୍ଟୋବର ପହିଲାରୁ କଟିପାରେ ଚାଲାଣ । ଏନେଇ ସୂଚିତ କରିଛି ରାଜ୍ୟ ପରିବହନ ବିଭାଗ । ରାଜ୍ୟ ପରିବହନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ପାତ୍ର ଏ ନେଇ ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି ।
ଗାଡିର ନମ୍ବର ଶେଷ ଅଙ୍କ ଅନୁସାରେ ଆରମ୍ଭ ହୋଇଛି ନମ୍ବର ପ୍ଲେଟ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା । ଏଥିପାଇଁ ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହୋଇଥିବ, ସେମାନଙ୍କର ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ର (HSRP) ସମୟସୀମା ସେପ୍ଟେମ୍ବର ୩୦ରେ ଶେଷ ହେବ । ଆଇନ ପ୍ରଣୟନକାରୀ ସଂସ୍ଥା ଗୁଡିକ HSRP ଫିଟମେଣ୍ଟ ହୋଇଛି କି ନାହିଁ ଆସନ୍ତା ଅକ୍ଟୋବର ୧ ତାରିଖରୁ ତଦାରଖ କରିବା ଆରମ୍ଭ କରିବେ ।
IMVର ଧାରା ୧୯୨ ଆକ୍ଟ ୧୯୮୮ ଅଧୀନରେ, ଯଦି ଉପରୋକ୍ତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିଟି HSRP ସହିତ ପଞ୍ଜିକରଣ ନହୁଏ, ତେବେ ଅପରାଧୀ ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । କାରଣ କେନ୍ଦ୍ର ସରକାର ସଂଶୋଧିତ CMVRର ନିୟମ ୫୦ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଦେଶ ଅନୁଯାୟୀ ପରିବହନ ବିଭାଗ ଚଳିତ ବର୍ଷ ଜୁନ ୧ରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ HSRP ବାଧ୍ୟତାମୂଳକ କରିଛି । ଏହା ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡି ପାଇଁ ମଧ୍ୟ ବାଧ୍ୟତାମୂଳକ ।