ଭୁବନେଶ୍ବର: ଚାଉଳ, କ୍ଷୀର, କୁକୁଡା ଜାତୀୟ ଖାଦ୍ୟ, ମାଛ ଯାଆଁଳ ଆଦି କ୍ଷେତ୍ରରେ ରାଜ୍ୟ ଆତ୍ମ- ନିର୍ଭରଶୀଳ ହୋଇପାରିଛି । ବର୍ତ୍ତମାନ ପନିପରିବା ଏବଂ ଫଳ ଉତ୍ପାଦନରେ ଆତ୍ମ - ନିର୍ଭରଶୀଳ ହେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ଏବଂ ସମୟାନୁବନ୍ଧିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
ଆଜି (ଗୁରୁବାର) କୃଷି ଉତ୍ପାଦ ବୃଦ୍ଧି ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ରାଜ୍ୟରେ ଫଳ ଓ ପନିପରିବା ଚାଷ ସମ୍ବନ୍ଧିତ ସଦ୍ୟତନ ସ୍ଥିତି ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଫଳ ଓ ପନିପରିବା ଚାଷ ପାଇଁ ଓଡିଶାରେ ବହୁ ସମ୍ଭାବନା ଓ ସମ୍ବଳ ରହିଛି । ବିଭିନ୍ନ ଅଞ୍ଚଳର କୃଷି - ଜଳବାୟୁ ଓ ମୁର୍ତ୍ତିକା ସଂରଚନା ଆଦି ଲକ୍ଷ୍ୟଭେଦୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ଫଳ ଓ ପନିପରିବାର ଆଧୁନିକ ଚାଷ ପ୍ରଣାଳୀ, ବାର୍ଷିକ ଆୟ ଆଦି ବିଷୟରେ କୃଷକମାନଙ୍କୁ ଅନୁପ୍ରେରଣା ଦେବାପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଫୁଲ କୋବି, ବନ୍ଧା କୋବି, ଟମାଟୋ, ଆଳୁ, ପିଆଜ ଆଦି ଜାତୀୟ ପରିବା ଏବଂ କଦଳୀ, ଅମୃତଭଣ୍ଡା, ପିଜୁଳି ଓ ଲେମ୍ବୁ ଆଦି ଫଳ ଉତ୍ପାଦନ ବଢାଇବା ପାଇଁ ପରାମର୍ଶ ଦେଇଛନ୍ତି । ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନ ରାଜ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ବୈଠକରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ପାଇଁ ବିଶେଷଜ୍ଞ, କୃଷକ, କୃଷି - ଉଦ୍ୟୋଗୀ, ଜଳ ସଂପଦ ଓ କୃଷି ବିଭାଗ ଯନ୍ତ୍ରୀମାନଙ୍କ ଠାରୁ ଆବଶ୍ୟକୀୟ ମତାମତ ଓ ପରାମର୍ଶ ନେଇ ବାସ୍ତବବାଦୀ କାର୍ଯ୍ୟ - ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ, ଓଡିଶାରେ ସାଧାରଣତଃ କଦଳୀ, ଆମ୍ବ, ପିଜୁଳି, ଅମୃତଭଣ୍ଡା, ଲେମ୍ବୁ, ସାଫେତା, ସପୁରୀ, ତରଭୁଜ, ଜାମୁ ଆଦି ଫଳ ଉତ୍ପାଦନ ହୁଏ । ଏହା ସହ ବାଇଗଣ, ଭେଣ୍ଡି, ଟମାଟୋ, ଆଳୁ, ପିଆଜ, ପାଣିକଖାରୁ, ଲାଉ, ମୂଳା ଓ କନ୍ଦମୂଳ ଜାତୀୟ ପରିବା, ଫୁଲକୋବି, ବନ୍ଧାକୋବି, ବିନ ଓ ଛୁଇଁ ଆଦି ପନିପରିବା ବେଶି ପରିମାଣରେ ଉତ୍ପାଦିତ ହୁଏ ।