ଭୁବନେଶ୍ବର: ରାଜ୍ୟରେ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଲା । ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଲେ । ପୂର୍ବରୁ ପଶ୍ଚିମ, ଉପକୂଳରୁ ଉପାନ୍ତ ବନ୍ୟାରେ ହୋଇଛନ୍ତି ପ୍ରଭାବିତ । ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା । ଉଜୁଡି ଯାଇଛି ଲୋକଙ୍କ ବେଉସା । ହେଲେ ସରକାର ବିପନ୍ନଙ୍କୁ କିଛି ରିଲିଫ ବାଣ୍ଟି ଦେଇ ସଫଳ ବନ୍ୟା ପରିଚାଳନର ଡିଣ୍ଡିମ ପିଟୁଛନ୍ତି । ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରି ନିଜ ଦାୟିତ୍ୱ ଶେଷ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି କଣ ଆମ ବ୍ୟବସ୍ଥା କେବଳ ବନ୍ୟାଞ୍ଚଳରେ ରିଲିଫ ବାଣ୍ଟି ବିପନ୍ନଙ୍କୁ କିଛି ସହାୟତା ଦେଇ ବନ୍ୟା ମୁକାବିଲା କରିବେ । ନା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ କିଛି ଦୀର୍ଘ ମିଆଦି ଯୋଜନା କରିବେ ।
ମହାନଦୀରେ ଛତିଶଗଡ ସରକାର ନିଜ ଅଞ୍ଚଳରେ ବହୁ ବ୍ୟାରେଜ ଆନିକଟ ଡ୍ୟାମ ନିର୍ମାଣ କରିବା ପରେ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଥିଲେ ରାଜ୍ୟ ସରକାର । ଏଥିପାଇଁ ଘୋଷଣା ହୋଇଥିଲା ମେଗା ଯୋଜନା । ଯୋଜନା ଅନୁସାରେ ବନ୍ୟା ସ୍ଥିତିର ମୁକାବିଲା ସହ ଅଣମୌସୁମୀ ବେଳେ ବ୍ୟବହାର ପାଇଁ ହୀରାକୁଦ ତଳମୁଣ୍ଡ ମହାନଦୀ ଅବବାହିକାରେ 7 ଟି ବ୍ୟାରେଜ ସହ 18 ଟି ଛୋଟ ପ୍ରକଳ୍ପ ଲାଗି 100 କୋଟି, 9ଟି ବଡ ପ୍ରକଳ୍ପ ଲାଗି 100 ରୁ 500 କୋଟି ଏବଂ ଦୁଇଟି ଜମ୍ବୋ ପ୍ରକଳ୍ପ ପାଇଁ 500 କୋଟି ଘୋଷଣା କରିଥିଲେ । ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନ ମଧ୍ୟ ଚିହ୍ନଟ ହୋଇ ସର୍ଭେ ହୋଇଥିଲା । ଏହି ବହୁମୁଖୀ ପ୍ରକଳ୍ପ ଗୁଡିକ ଦେଓଙ୍ଗା, ଗୋଧନେଶ୍ବର, ସୁବଲୟା, କପାସିରା, ମଣିଭଦ୍ରା, ଖଇରମାଳ ମୁଣ୍ଡଳୀ ଉପରେ ନିର୍ମାଣ ହୋଇଥାନ୍ତା । ହେଲେ ବିଡମ୍ବନା ଘୋଷଣାର 5 ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ହେବାତ ଦୂରର କଥା । ନିଜ ଘୋଷଣାକୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର ।
ବର୍ଷ 2016 ରେ ଛତିଶଗଡ-ଓଡିଶା ମଧ୍ୟରେ ମହାନଦୀ ଜଳ ବିବାଦ ଆରମ୍ଭ ହୋଇଥିଲା । ଓଡିଶା ସରକାର ଚେତିଲା ବେଳକୁ ଛତିଶଗଡ ସରକାର ନିଜ ଅଞ୍ଚଳରେ ବ୍ୟାପକ ପ୍ରକଳ୍ପ ନିର୍ମାଣ କରିସାରିଥିଲେ । ପରେ 2017 ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ କାଳେ ଭୋଟ ବ୍ୟାଙ୍କ ଭୁସୁଡି ପଡିବ ସେହି ଭୟରେ ସରକାର ମହାନଦୀକୁ ଅସ୍ତ୍ର କରିଥିଲେ । ମହାନଦୀ ବଞ୍ଚାଇବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇଥିଲେ । ସମ୍ବଲପୁରରୁ ପାରାଦୀପ ଯାଏଁ କଳସ ଯାତ୍ରା କରିଥିଲେ ବିଜେଡି ନେତା କର୍ମୀ । ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଲୋଚନା କରିଥିଲେ । ହେଲେ କୌଣସି ସୁଫଳ ବାହାରିନଥିଲା । ଓଡିଶା ସରକାର ଟ୍ରିବ୍ୟୁନାଲ ଯାଇଥିଲେ । ବର୍ଷ 2018 ରେ ଗଠନ ହୋଇଥିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ । ସେହି ବର୍ଷ ମେ’ ମାସରେ ଶୁଖାସଢା ଯାଇ ବଡ ସମାବେଶ କରି ମହାନଦୀ ଲଢେଇକୁ ତୀବ୍ର କରିଥିଲେ ମୁଖ୍ୟମନ୍ତ୍ରୀ । ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେଇ କରିବେ ବୋଲି ଘୋଷଣା କରିଥିଲେ ।