ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନାରୀ ନିର୍ଯାତନାର ମାତ୍ରା । କେଉଁଠି ନାବାଳିକା ଦୁଷ୍କର୍ମର ଶିକାର ହେଉଛି ତ କେଉଁଠି କାର୍ଯ୍ୟରତ ମହିଳା ହେଉଛନ୍ତି ହୀନ ମାନସିକତା ଥିବା ଲୋକଙ୍କ ଲାଳସାର ଶିକାର । ହେଲେ ଏନେଇ ରାଜ୍ୟ ସରକାର କୌଣସି ଦୃଢ ପଦକ୍ଷେପ ନେବା ବଦଳରେ ରାଜନୀତି କରୁଥିବା ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କମିଟି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଗୁରୁବାର ଏନେଇ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛନ୍ତି ପିସିସି ମିଡିଆ ସେଲ ମୁଖ୍ୟ ସତ୍ୟ ପ୍ରକାଶ ନାୟକ । ତାଙ୍କ କହିବା ଅନୁଯାୟୀ ବିଜେଡି ନେତାଙ୍କୁ ବଞ୍ଚାଇବାକୁ ଏସବୁ ରାଜନୀତି ଓ ମୁଖ୍ୟମନ୍ତ୍ରୀ ଖୋଦ ଅସହାୟ । ଆହୁରି ମଧ୍ୟ କହିଛନ୍ତି କି ଭଡାଟିଆ ପ୍ରବକ୍ତାଙ୍କୁ ନେଇ ରାଜନୀତି ନକରି ଯେପର୍ଯ୍ୟନ୍ତ ନାରୀଙ୍କୁ ସୁରକ୍ଷା ଦେବାକୁ ସରକାର ଅସମର୍ଥ ସେପର୍ଯ୍ୟନ୍ତ କଂଗ୍ରେସର ଏହି ବିରୋଧ ଜାରି ରହିବ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିବା ସହ ବିଗତ କିଛି ଦିନ ଧରି ରାଜ୍ୟ ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ଅସହାୟତାକୁ ଗୋଟି ଗୋଟି କରି ବଖାଣିଖଥିଲେ ନେତା ସତ୍ୟ ପ୍ରକାଶ ନାୟକ । ବିଗତ କିଛି ଦିନ ଭିତରେ ଭଦ୍ରକ ଧୂସୁରି, ଖଣ୍ଡଗିରିର ଲୋମଟାଙ୍କୁରା ଅପରାଧ, ବାଙ୍କୀରେ ଅସଦାଚରଣ, ମୟୂରଭଞ୍ଜରେ ପୀଡିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଓ ବେବିନା ଘଟଣାରେ ଦୋଷୀଙ୍କୁ ଖଲାସ ଆଦି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇଛି କଂଗ୍ରେସ ।
ଏଥିସହ କୁନ୍ଦୁଲି ଘଟଣାରେ ବିଜେଡି ନେତା ବିଷ୍ଣୁ ଦାସ ଘଟଣାକୁ ସ୍ବୀକାର କରିବା ପରେ ବି ଘଟଣାକୁ ଭିନ୍ନ ମୋଡ ଦେବା ସହ ଭଡାଟିଆ ପ୍ରବକ୍ତାଙ୍କୁ ନେଇ ରାଜନୀତି ନ କରିବାକୁ କହିଛି କଂଗ୍ରେସ । ତେଣେ ରାଜ୍ୟରେ ନାରୀଙ୍କ ବିରୁଦ୍ଧରେ ଚାଲିଥିବା ଅପରାଧ ଉପରେ ସମୟ ଥାଉ ଥାଉ ରାଜ୍ୟ ସରକାର ଯଦି ଅଙ୍କୁଶ ନଲଗାନ୍ତି ତେବେ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସତ୍ୟ ନାୟକ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ