ଭୁବନେଶ୍ବର: କୃଷି ବିବିଧତା ଓ ଅମଳ ବୃଦ୍ଧି ସହ କୃଷିର ବ୍ୟବସାୟିକ ଦିଗ ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ନୀତି ନିର୍ଦ୍ଧାରଣ ଓ ପଦକ୍ଷେପ ନେବା ଦାୟିତ୍ୱରେ ରହିଛନ୍ତି କୃଷି ବିଭାଗ, କୃଷି ବଜାର ଟିମ୍ ଏବଂ କୃଷି ବ୍ୟବସାୟ ଟିମ୍ । ରାଜ୍ୟର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଏହି ଅନୁଷ୍ଠାନ ଏକାଠି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଅସିତ କହିଛନ୍ତି ।
ଅଣଧାନ କୃଷିର ବଣ୍ଟନ ଓ ବଜାରକୁ ନେଇ ରହିଥିବା ସମସ୍ୟାର ସମାଧାନ ନିମନ୍ତେ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ ରଣ ନୀତି ପ୍ରସ୍ତୁତ କରିବାକୁ ହେବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆପିକଲ୍ରେ ମାନବସମ୍ବଳକୁ ବୃଦ୍ଧି କରିବା ସମ୍ପର୍କରେ ତୁରନ୍ତ ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନ କରିବାକୁ ଅସିତ ପରାମର୍ଶ ଦେଇଛନ୍ତି । ଯେଉଁ କୃଷକମାନେ ଧାନ ଚାଷରୁ ଅଣଧାନ ଚାଷ ପ୍ରତି ମନ ବଳାଉଛନ୍ତି ସେମାନଙ୍କୁ ସୁବିଧା ଉପଲବ୍ଧ କରାଗଲେ ତାହା ଦ୍ୱାରା ଅନ୍ୟମାନେ ମଧ୍ୟ ଆଗ୍ରହ ପ୍ରକାଶ କରିବେ । ତେଣୁ ସେ ଦିଗରେ ପ୍ରଭାବୀ ଭାବେ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାସ୍ତରର ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରିବାକୁ ହେବ ବୋଲି ସେ କହିଛନ୍ତି ।
ସେହିଭଳି ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଆପିକଲର ମିଳିତ ଉଦ୍ୟମରେ ଗୋ-ସ୍ୱିଫଫ ଭଳି ଏକ ଡିଜିଟାଲ୍ ଲିଙ୍କେଜ୍ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଉଦ୍ୟୋଗୀମାନଙ୍କୁ ପ୍ରକ୍ରିୟାକରଣ ସକାଶେ ସୁଯୋଗ ଦେବାପାଇଁ ଉଭୟ ଆପିକଲ ଏବଂ ଆର୍ଏମ୍ସି ମଧ୍ୟରେ ଲିଙ୍କେଜ୍ କରିବାକୁ ହେବ । ଓର୍ମାସ୍ର ସହାୟତାରେ ଜିଆଇଏସ୍ ସମ୍ମିଳିତ ଶସ୍ୟଗୁଡ଼ିକର ଡାଟାବେସ୍ ପରିଚାଳନା ପଦ୍ଧତିର ବିକାଶ ପାଇଁ ସମବାୟ ବିଭାଗ ଓ କୃଷି ବିଭାଗ ଏକ ବିଶ୍ଳେଷଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି ।
ବିଟି କଟନ୍ ମଞ୍ଜି ବଣ୍ଟନ ଓ ରାଜ୍ୟରେ ତା’ର ପ୍ରଭାବ ଉପରେ ଅନୁଧ୍ୟାନ କରିବାକୁ କୁହାଯାଇଛି । ଏଥି ସହିତ ଆଗ୍ରୋ ସେବା କେନ୍ଦ୍ର ପ୍ରତିଷ୍ଠା, ମାଟିର ଉର୍ବରତା ନିମନ୍ତେ ନଳିତା ଚାଷ, ଏପରିକି କୃଷି ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ ବ୍ୟବସ୍ଥା କରିବାକୁ ପଦକ୍ଷେପ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉଦ୍ୟାନକୃଷି କ୍ଷେତ୍ରରେ ମାର୍କେଟ ଲିଙ୍କ୍ ବିକଶିତ କରିବାକୁ ପଡୋଶୀ ରାଜ୍ୟରେ ଥିବା ସମସ୍ୟାକୁ ଅଧ୍ୟୟନ କରିବାକୁ ହେବ । ତା’ଛଡ଼ା ଏ ସମ୍ବନ୍ଧରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ଉଦ୍ୟାନ କୃଷି ଉତ୍ପାଦ କ୍ରେତାଙ୍କୁ ନେଇ ବୈଠକ କରିବାକୁ ହେବ । ଏ ନେଇ ଆସନ୍ତା ୧୮ ତାରିଖରେ ଲୋକସେବା ଭବନରେ ଖାଦ୍ୟ ଉତ୍ପାଦନ ସଂଗଠନମାନଙ୍କୁ ନେଇ ଏକ ବୈଠକ ଆୟୋଜନ ହେବ । ଏଥି ସହ କେଉଁଝର ଓ ମୟୂରଭଞ୍ଜରେ ‘ଇଣ୍ଡଷ୍ଟ୍ରି କେୟାର’ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ପ୍ରମୁଖ ଖାଦ୍ୟ ଉତ୍ପାଦନ ସଂଗଠନ ଓ ଉଦ୍ୟୋଗୀମାନଙ୍କ ସହ ଆପିକଲର ପରିଚାଳନା ନିର୍ଦ୍ଦେଶକ ଏବଂ ଶିଳ୍ପ ବିଭାଗର ଅଧିକାରୀମାନେ ମତବିନିମୟ କରିବେ ।
ଶୀତଳ ଭଣ୍ଡାର ନିର୍ମାଣ କରି ବ୍ୟବସାୟିକ ଦିଗରେ ପରିଚାଳନା ସକାଶେ ଉଦ୍ୟୋଗୀମାନଙ୍କୁ ନେଇ ବୈଠକ କରାଯିବ । ମାର୍କଫେଡ୍ର ପୁନର୍ବିନ୍ୟାସ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଆଜିର ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଶାସନ ସଚିବ ବୀରବିକ୍ରମ ଯାଦବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓସାମ୍ ବୋର୍ଡର ସଦସ୍ୟସଚିବ ବିଶ୍ୱରଞ୍ଜନ ସାସମଲ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରୋହିତ ଲେଙ୍କା, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ