ଭୁବନେଶ୍ବର: କଂଗ୍ରେସ କ୍ଷମତାକୁ ଆସିଲେ ଯୁବକଙ୍କୁ ମିଳିବ ବେକାରୀ ଭତ୍ତା । ମାସକୁ 3000 ଟଙ୍କାର ବେକାରୀ ଭତ୍ତା ଦେବ କଂଗ୍ରେସ । ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ଚାକିରୀ ନ ମିଳିବା ପର୍ଯ୍ୟନ୍ତ ଏହି ଭତ୍ତା ଦିଆଯିବ ବୋଲି ରାଜ୍ୟ କଂଗ୍ରେସ ଆଜି (ରବିବାର) ନିଜର ଇସ୍ତାହାରରେ ପ୍ରକାଶ କରିଛି । ଏହା ସହ ଦଳ ମହିଳା, କୃଷକ, ଆଦିବାସୀଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରତିଶୃତି ରଖିଛି ।
ଆଜି(ରବିବାର) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତାହାର ଘୋଷଣା କରି ରାଜ୍ୟରେ କଂଗ୍ରେସ ଶାସନାଧିନ ହେଲେ ଏସବୁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ଇସ୍ତାହାର ପତ୍ରର ନାମ ‘ଆସିବ କଂଗ୍ରେସ ହସିବ ଓଡିଶା’ ରଖାଯାଇଛି । ଇସ୍ତାହାର ମାଧ୍ୟମରେ ରାଜ୍ୟ କଂଗ୍ରେସ ରାଜ୍ୟବାସୀଙ୍କ ଆଗରେ 19ଟି ପ୍ରତିଶୃତି ରଖିଛି ।
ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାରକୁ ରାହୁଲ ଗାନ୍ଧୀ ଘୋଷଣା କରିଥିବା ନ୍ୟାୟ(ନ୍ୟୁନତମ ଆୟର ଗ୍ୟାରେଣ୍ଟି) ଆଧାରରେ ମାସିକ 6 ହଜାର ଟଙ୍କା ଲେଖାଏଁ ଟଙ୍କା ଦିଆଯିବ ବୋଲି ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି । ଏହା ସହ ଏହି ଟଙ୍କା ପରିବାରର ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ଦର୍ଶାଯାଇଛି ।
ପ୍ରତି ପରିବାରରୁ ଜଣଙ୍କୁ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ଚାକିରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଯେପର୍ଯ୍ୟନ୍ତ ଚାକିରି ମିଳିନାହିଁ ମାସିକ 3 ହଜାର ଟଙ୍କାର ଭତ୍ତା ଦିଆଯିବ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି ।
ସମସ୍ତ ଚାକିରିକୁ ସ୍ଥାୟୀ କରାଯିବ ବୋଲି କଂଗ୍ରେସ ଇସ୍ତାହାରରେ ପ୍ରକାଶ କରିଛି । ଏହା ସହ ଭୂମିହୀନଙ୍କୁ ଭୂମି ଓ ବାସହୀନଙ୍କୁ ଘର ଯୋଗାଇଦେବ ବୋଲି ଦଳ କହିଛି ।