ଓଡିଶା

odisha

ସରିଲା ରାଜ୍ୟ କ୍ୟାବିନେଟ ବୈଠକ, 10 ପ୍ରସ୍ତାବରେ ବାଜିଲା ମୋହର

By

Published : Sep 26, 2019, 2:39 PM IST

Updated : Sep 26, 2019, 2:55 PM IST

ଲୋକସେବା ଭବନରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ଯେଉଁଥିରେ 10ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲୋକସେବା ଭବନରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ଯେଉଁଥିରେ 10ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଟେଣ୍ଡରକୁ ମିଳିଛି କ୍ୟାବିନେଟର ଅନୁମୋଦନ। ଅନୁମୋଦନକ୍ରମେ ବସ୍‌ଷ୍ଟାଣ୍ଡରେ ଗୋଟିଏ ଟର୍ମିନାଲ ସହ ବସ୍‌ ବେ ହେବ। ଏଥିପାଇଁ 17 ଏକର ଜାଗାରେ ନିର୍ମାଣ ହେବ ବସ୍‌ଷ୍ଟାଣ୍ଡ । ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ମ୍ୟାନେଜରଙ୍କ ଚାକିରୀକୁ ସ୍ଥାୟୀ କରାଯାଇଛି। ତେବେ ବର୍ତ୍ତମାନ ସମୁଦାୟ 32 ଜଣ କୋର୍ଟ ମ୍ୟାନେଜର ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଚଳିତ ବର୍ଷ 60 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ। ସେଥିରୁ 41 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବ। ଏଥିରେ ବ୍ୟାପକ ପରିମାଣରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯିବା ନେଇ ନିଷ୍ପତ୍ତି ହୋଇଛି। ପୂର୍ବରୁ 72 ଘଣ୍ଟାରେ ଚାଷୀଙ୍କୁ ଅର୍ଥ ମିଳୁଥିବା ବେଳେ ଏବେ 48 ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଅର୍ଥ ମିଳିବା ନେଇ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଯେଉଁ ମିଲରମାନେ ଦେୟ ବକେୟା ରଖିଥିବେ ସେମାନେ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ ହୋଇପାରିବେ ନାହିଁ । ତେଣେ ଭୁବନେଶ୍ବର ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ ପାଇଁ ଟେଣ୍ଡରକୁ ମିଳିଛି ଅନୁମୋଦନ। 160 କୋଟି 66 ଲକ୍ଷ ବ୍ୟୟରେ ନିର୍ମାଣ ହେବ ଏହି ବସ ଟର୍ମିନାଲ।

ଦୁଇ ବର୍ଷ ଭିତରେ ଏହାର କାର୍ଯ୍ୟ ସରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ବିଡିଏ ତଦାରଖରେ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ। 5 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ବ ନେବ ସମ୍ପୃକ୍ତ ସଂସ୍ଥା। ବସୁଧା ଯୋଜନାରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ 90 ଲକ୍ଷ ଲୋକେ ଉପକୃତ ହେବେ। ଏଥିପାଇଁ 149 କୋଟି 12 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ସରିବ।

ଏଥିସହ ଯାଜପୁର ଜିଲ୍ଲାରେ ଟମକାରୁ ମଙ୍ଗଳପୁର ରାସ୍ତାକୁ 4 ଲେନ ବିଶିଷ୍ଟ କରାଯିବ। ଜିଲ୍ଲା ଖଣିଜ ପାଣ୍ଠିରୁ ଏହାର ଖର୍ଚ୍ଚ ବହନ କରାଯିବ । ଏହି ପ୍ରସ୍ତାବରେ ମଧ୍ୟ ଗୁରୁବାର କ୍ୟାବିନେଟରେ ମୋହର ଲାଗିଛି। ଏନେଇ ସମୁଦାୟ 43 କିଲୋମିଟର ରାସ୍ତା ପୁନଃନିର୍ମାଣ ହେବ। ଏଥିପାଇଁ ଡିଏମ୍‌ଏଫ ଫଣ୍ଡରୁ 117 କୋଟି ଟଙ୍କା ଖର୍ଚ୍ଚ ହେବ। ବାଲେଶ୍ଵର ଡାକ୍ତରଖାନାରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ପାଇଁ 148 କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାସହ 500 ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ନିର୍ମାଣ ହେବ। ଏହି କାର୍ଯ୍ୟ 2 ବର୍ଷ 6 ମାସ ମଧ୍ୟରେ ଶେଷ ହେବ। ଏଥିପାଇଁ 145 କୋଟି 60 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 26, 2019, 2:55 PM IST

ABOUT THE AUTHOR

...view details