ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଓଡିଶା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । କିଛି ଦିନ ତଳେ ସଚିବାଳୟ କ୍ୟାଣ୍ଟିନରେ ଖାଇ ପ୍ରଶଂସା ସାଉଁଟିଥିଲେ ମନ୍ତ୍ରୀ । ଏବେ ରାଜଧାନୀରେ ନିସ୍ବାର୍ଥପର ଭାବେ ଚାକିରୀ ଆଶାୟୀ ଯୁବକଙ୍କୁ ତାଲିମ ଦେଉଥିବା ଗୋପୀନାଥ ସେଠୀଙ୍କୁ ଭେଟିଛନ୍ତି ମନ୍ତ୍ରୀ ।
2002 ମସିହାରୁ ରାଜଧାନୀ ଭୁବନେଶ୍ବରରେ ଏପରି ତାଲିମ ପ୍ରଦାନ କରିଆସୁଛନ୍ତି ଗୋପୀନାଥ । ପୁଲିସ, ସେନା ଏବଂ ଅଗ୍ନିଶମ ବିଭାଗରେ ଚାକିରି ପାଇଁ ତାଲିମ ପ୍ରଦାନ କରିଥାନ୍ତି ଗୋପୀନାଥ । ଚାକିରି ଆଶାୟୀ ଯୁବକମାନଙ୍କୁ ୫ ହଜାର ମିଟର ଦୌଡ଼, ୧୬ ଶହ ମିଟର ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ଦଉଡ଼ିଚଢ଼ା, ବାଲିବସ୍ତା ବୋହିବା, ସାଇକେଲିଂ ଆଦି ବିଭିନ୍ନ ବ୍ୟାୟାମ ଓ ଶାରୀରିକ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ନେଇ ବିନା ମୂଲ୍ୟରେ ତାଲିମ ପ୍ରଦାନ କରିଥାନ୍ତି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗୋପୀନାଥ ନିକଟରୁ ତାଲିମ ଗ୍ରହଣ କରି ପ୍ରାୟ ୩୫୦୦ ଯୁବକ ଚାକିରୀ ପାଇସାରିଛନ୍ତି । ସିଆରପିଏଫ୍, ସୀମା ସୁରକ୍ଷା ବଳ, ହୋମଗାର୍ଡ, କମିଶନରେଟ ପୁଲିସ୍, ଜିଲ୍ଲା ପୁଲିସ୍, ଅଗ୍ନିଶମ ଏବଂ ଅବକାରୀ ବିଭାଗରେ ଇନସପେକ୍ଟର, ସବ୍-ଇନିସ୍ପେକ୍ଟର, କନ୍ଷ୍ଟେବଳ ସହ ରେଳବାଇ ଗ୍ରୁପ୍-ଡି ଆଦିରେ ନିଯୁକ୍ତି ପାଇଛନ୍ତି ।