ଓଡିଶା

odisha

ETV Bharat / city

ରାଜ୍ୟ ବ୍ୟୟ ତାଲିକା ଆଗତ, ଆକସ୍ମିକ ପାଣ୍ଠିରେ ଟଙ୍କା ଭରିବେ ସରକାର - kalia

ଆକସ୍ମିକ ପାଣ୍ଠିରୁ ଉଠାଣ ହୋଇଥିବା ଟଙ୍କାର ଭରଣ ପାଇଁ ଆଜି ବିଧାନସଭାରେ ପ୍ରଥମ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଫାଇଲ ଫଟୋ

By

Published : Jul 12, 2019, 5:55 PM IST

ଭୁବନେଶ୍ବର: ଶୁକ୍ରବାର ରାଜ୍ୟ ଆକସ୍ମିକ ପାଣ୍ଠିର ଅଗ୍ରୀମ ଅର୍ଥ ଭରଣା ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପ୍ରଥମ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପନା କରିଛନ୍ତି । ବ୍ୟୟ ତାଲିକାର ପରିମାଣ 1400କୋଟିରୁ ଉର୍ଦ୍ଧ୍ବ ରହିଛି ।


2018-19 ବର୍ଷ ଶେଷ ସୁଦ୍ଧା ଆକସ୍ମିକ ପାଣ୍ଠିରୁ 4ଟି ବିଭାଗକୁ ମୋଟ 1443 କୋଟି 12 ଲକ୍ଷ 44 ହଜାର ଟଙ୍କା ଦିଆଯାଇଥିଲା । ଆଉ ଏସବୁର ଭରଣ ପାଇଁ ଅତିରିକ୍ତ ବ୍ୟୟ ତାଲିକା ଅଣାଯାଇଛି ।

ଓଡିଶା ଆକସ୍ମିକ ପାଣ୍ଠି ନିୟମାବଳୀ 1967 ଓ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ 2005 ଆଧାରରେ ଏହି ବ୍ୟୟ ତାଲିକା ଉପସ୍ଥାପିତ ହୋଇଛି । ଏବେ ଆକସ୍ମିକ ପାଣ୍ଠିର ଭରଣା ନହେଲେ ଭବିଷ୍ୟତରେ କୌଣସି ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ ଅଗ୍ରୀମ ପ୍ରଦାନ କରାଯାଇପାରିବନି ।


ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦଙ୍ଗା ପ୍ରପୀଡ଼ିତଙ୍କୁ କ୍ଷତିପୂରଣ ବାବଦରେ ଜରୁରୀକାଳୀନ ପାଣ୍ଠିରୁ 6 କୋଟି 32 ଲକ୍ଷ ଟଙ୍କା କଢାଯାଇଥିଲା । ସେହିପରି କାଳିଆ ଯୋଜନା ପାଇଁ କୃଷି ବିଭାଗ 1244 କୋଟି 66 ଲକ୍ଷ , ଦୁଗ୍ଧ, ମତ୍ସ୍ୟ ଓ କୁକୁଡ଼ା ଚାଷୀଙ୍କୁ ଜୀବିକା ସହାୟତା ବାବଦରେ 22 କୋଟି 73 ଲକ୍ଷ ଓ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ପାଇଁ 169 କୋଟି 40 ଲକ୍ଷ ଟଙ୍କା ଅଗ୍ରୀମ ଉଠାଯାଇଥିଲା ।


ଆକସ୍ମିକ ପାଣ୍ଠିର କର୍ପସ 400 କୋଟି । କାଳିଆ ଯୋଜନା ଅଧୀନରେ ଚାଷୀଙ୍କୁ ଜରୁରୀ ସହାୟତା ଦେବାକୁ କର୍ପସ ପରିମାଣକୁ 1200 କୋଟି ବୃଦ୍ଧି କରାଯାଇ 1600 କୋଟି ଟଙ୍କା କରାଯାଇଥିଲା । ଏବେ ପୁଣି ଥରେ କର୍ପସ ପରିମାଣ 400 କୋଟି ଟଙ୍କା ହୋଇଯାଇଛି ।

ଭୁବନେଶ୍ବରରୁ ଅଜିତ ଦାଶ , ଇଟିଭି ଭାରତ

ABOUT THE AUTHOR

...view details