ଓଡିଶା

odisha

ETV Bharat / city

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଯୋଗ ଦେବେ ବାଚସ୍ପତି - Speaker Surya Narayan Patra

ହିମାଚଳ ପ୍ରଦେଶର ଶିମଲାରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ପୀଠାଧୀଶମାନଙ୍କର ସର୍ବଭାରତୀୟ ସମ୍ମିଳନୀ । କାର୍ଯ୍ୟକ୍ରମରେ ଯୋଗ ଦେବେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

Surya Narayan Patra
Surya Narayan Patra

By

Published : Nov 13, 2021, 10:09 PM IST

ଭୁବନେଶ୍ବର: ହିମାଚଳ ପ୍ରଦେଶର ଶିମଲାରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ପୀଠାଧୀଶମାନଙ୍କର ସର୍ବଭାରତୀୟ ସମ୍ମିଳନୀ । କାର୍ଯ୍ୟକ୍ରମରେ ଯୋଗ ଦେବେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏ ନେଇ ସୂର୍ଯ୍ୟଙ୍କର ଗସ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ।

କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୯.୪୦ ରେ ନୂଆଦିଲ୍ଲୀ ଯାତ୍ରା କରିବେ । ସେଠାରେ ଓଡିଶା ଭବନରେ ରାତ୍ରିଯାପନ କରିବେ । ୧୬ ତାରିଖରେ ନୂଆଦିଲ୍ଲୀରୁ ଚଣ୍ଡିଗଡ ଅଭିମୁଖେ ଯାତ୍ରା କରିବେ । ଚଣ୍ଡିଗଡରୁ ଶିମଲା ପର୍ଯ୍ୟନ୍ତ କାର ଯୋଗେ ଯାତ୍ରା କରି ଅପରାହ୍ନ ୩.୩୦ ରେ ପହଞ୍ଚିବେ । ୧୭ ଏବଂ ୧୮ ଦୁଇ ଦିନ ସର୍ବଭାରତୀୟ ପୀଠାଧୀଶ ସମ୍ମିଳନୀରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ । ୧୯ ରେ ଚଣ୍ଡିଗଡରୁ ବାହାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଏହି ସମ୍ମିଳନୀରେ ଓଡିଶା ବିଧାନସଭାର ସଚିବ ଦାଶରଥି ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣ ଚନ୍ଦ୍ର ଦଳାଇ, ବିଧାନସଭା ଯୁଗ୍ମ ସଚିବ ଶିବ ପ୍ରସାଦ ପଟ୍ଟନାୟକ ମଧ୍ୟ ବାଚସ୍ପତିଙ୍କ ସହ ଗସ୍ତ କରିବେ । ପୀଠାଧୀଶମାନଙ୍କ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅଧ୍ୟକ୍ଷତା କରିବେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ । ରାଜ୍ୟ ଓ ଜନସାଧାରଣଙ୍କ ପ୍ରଗତିରେ ପୀଠାଧୀଶମାନଙ୍କ ଭୂମିକା ସମ୍ପର୍କିତ ଏକ ଆଲୋଚନା ଚକ୍ର ଏହି ଅବସରରେ ଅନୁଷ୍ଠିତ ହେବ । ସମ୍ବିଧାନ ପ୍ରଦତ୍ତ ଦଶମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ ହୋଇଥିବା ବାଚସ୍ପତିମାନଙ୍କର କ୍ଷମତା ଏବଂ ତଦଜନିତ ସୁପ୍ରିମକୋର୍ଟଙ୍କ ରାୟ ଉପରେ ତନଖ କରି ଲୋକସଭା ବାଚସ୍ପତିଙ୍କୁ ଏକ ରିପୋର୍ଟ ପ୍ରଦାନ ପାଇଁ ଏକ କମିଟି ଗଠନ କରାଯାଇଛି ।

ଏହି କମିଟିରେ ଓଡିଶା, ରାଜସ୍ଥାନ ଏବଂ କର୍ଣ୍ଣାଟକର ବାଚସ୍ପତିମାନେ ସଦସ୍ୟ ଅଛନ୍ତି । ୧୯୨୧ ମସିହାରେ ଶିମଲାରେ ପୀଠାଧୀଶମାନଙ୍କର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହାର ଶତବାର୍ଷିକୀ ପୂର୍ତ୍ତି ଉପଲକ୍ଷେ ସେଠାରେ ଏକ ଭବ୍ୟ ସମ୍ମିଳନୀର ଆୟୋଜନ କରାଯାଉଛି । ୮୨ ତମ ପୀଠାଧୀଶମାନଙ୍କର ସମ୍ମିଳନୀରେ ଦେଶର ସମସ୍ତ ବିଧାନସଭାର ବାଚସ୍ପତି ଓ ଉପ-ବାଚସ୍ପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏତଦ ବ୍ୟତୀତ ବିଧାନସଭା ସଚିବ ମାନଙ୍କର ୫୮ ତମ ସର୍ବଭାରତୀୟ ସମ୍ମିଳନୀ ମଧ୍ୟ ଏଠାରେ ଅନୁଷ୍ଠିତ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details