ଓଡିଶା

odisha

ETV Bharat / city

ସୀମା ବିବାଦ, ସ୍ଥାୟୀ ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି - ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

ପଡ଼ୋଶୀ ରାଜ୍ୟ ସହ ଓଡ଼ିଶାର ସୀମା ବିବାଦ ପ୍ରସଙ୍ଗ । ଶାନ୍ତିପୂର୍ଣ୍ଣ ସ୍ଥାୟୀ ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି । ଅଧିକ ପଢନ୍ତୁ...

ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ, ସ୍ଥାୟୀ ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି
ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ, ସ୍ଥାୟୀ ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

By

Published : Sep 18, 2021, 3:49 PM IST

Updated : Sep 18, 2021, 4:39 PM IST

ଭୁବନେଶ୍ବର: ଓଡ଼ିଶାର ପଡ଼ୋଶୀ ରାଜ୍ୟ ସହିତ ସୀମା ବିବାଦ ପ୍ରସଙ୍ଗ । ଆଜି(ଶନିବାର) ସମାଜବାଦୀ ପାର୍ଟିର ଏକ ୨ ଜଣିଆ ପ୍ରତିନିଧ ଦଳ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଏକ ୩ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସ୍ଥାୟୀ ସମାଧାନ ଦାବି କରିଛନ୍ତି ।

ସୀମା ବିବାଦ, ସ୍ଥାୟୀ ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

ରାଜ୍ୟପାଳଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା । ସୀମା ବିବାଦ ନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟର କୌଣସି ରାଜନୈତିକ ଦଳ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ନାହାଁନ୍ତି । ଆଜି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ କୋଟିଆ ଗସ୍ତ କରିଛନ୍ତି । ବହୁ ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ହେଲେ ପଡୋଶୀ ରାଜ୍ୟଙ୍କ ସହ ଓଡ଼ିଶାର ଥିବା ସୀମା ବିବାଦ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେବା ଆବଶ୍ୟକ ରହିଛି । ତେଣୁ ଦଳ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି । ରବିଙ୍କ ସହ ଯୁବ ଜନସଭାର ରାଜ୍ୟ ଅଧ୍ୟକ୍ଷ ସୁବ୍ରତ ଲେଙ୍କା ରାଜ୍ୟପାଳଙ୍କୁ ଭେଟି ସୀମା ବିବାଦରେ ହସ୍ତକ୍ଷେପ କରି ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ରର ଦିଆଯାଇଛି । ଓଡ଼ିଶାର ପାଖାପାଖି ୧୪ଟି ଜିଲ୍ଲାର ସୀମା ବିବାଦ ପଡୋଶୀ ଆନ୍ଧ୍ରପ୍ରଦେଶ , ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗଳ ସହିତ ରହିଛି । ଏହି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକର ପାଖାପାଖି ୯୬ଟି ରାଜସ୍ବ ଗ୍ରାମ ଓ ୧୪ଟି ପଡ଼ା ଗ୍ରାମ ଉପରେ ପଡ଼ୋଶୀ ରାଜ୍ୟମାନେ ନିଜର ଅସ୍ତିତ୍ବ ସାବ୍ୟସ୍ତ କରୁଛନ୍ତି । ଯାହାଫଳରେ ସମୟ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଏହା ସହିତ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକର ବିକାଶ ବାଧାପ୍ରାପ୍ତ ହେଉଛି । ଜନସାଧାରଣ ମଧ୍ୟ ଏଥିରେ ଅସୁବିଧା ଭୋଗୁଛନ୍ତି ବୋଲି ରାଜ୍ୟପାଳଙ୍କୁ କୁହାଯାଇଛି ।

ରାଜ୍ୟର ସୀମା ବିବାଦକୁ ନେଇ ବିଧାନସଭାରେ ବହୁଥର ଝଡ଼ ଉଠିଛି । ଏହା ସତ୍ତ୍ବେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ କରାଯାଇନାହିଁ । ଏଥିପାଇଁ ବିଧାନସଭାର ଏକ ଗୃହ କମିଟି ଗଠିତ ହୋଇଛି । ହେଲେ ଏହି କମିଟି ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ସୀମା ବିବାଦର ସମାଧାନ କରିବାରେ ତତ୍ପରତା ପ୍ରକାଶ କରିପାରିନାହାଁନ୍ତି । ରାଜ୍ୟ ସରକାର ମଧ ସୀମା ବିବାଦ ସମାଧାନକୁ ନେଇ ଯେଉଁ ସକ୍ରିୟତା ପ୍ରକାଶ କରିବା କଥା, ତାହା ମଧ୍ୟ କରିନାହାଁନ୍ତି ।

ଗତ ପାର୍ଲାମେଣ୍ଟ ଅଧିବେଶନରେ ଆନ୍ଧ୍ର ସରକାର କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଅନଧିକାର ପ୍ରବେଶ କଲେ । ଏହାକୁ ନେଇ ସମାଜବାଦୀ ପାର୍ଟି ରାଜ୍ୟର ସାଂସଦମାନଙ୍କୁ ଏକ ପତ୍ର ଲେଖିଥିଲା । ଭାରତର ସ୍ବରାଷ୍ଟ୍ରମନ୍ତ୍ରୀଙ୍କର ହସ୍ତକ୍ଷେପ ଦାବି କରିଥିଲା । ପାର୍ଲାମେଣ୍ଟରେ ସୀମା ପ୍ରସଙ୍ଗକୁ ଉପସ୍ଥାପନ କରିବା ପାଇଁ ସାଂସଦମାନଙ୍କୁ ଅନୁରୋଧ କରାଯାଇଥିଲା । ତାହା ଉପସ୍ଥାପିତ ହୋଇନଥିଲା ।

ଏଭଳି କି ପାର୍ଲାମେଣ୍ଟରେ ଭାରତ ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯେଉଁ ବିବୃତି ରଖୁଥିଲେ ସେଥିରେ ଅନ୍ୟାନ୍ୟ ରାଜ୍ୟର ସୀମା ବିବାଦ ସ୍ଥାନ ପାଇଥିଲେ ମଧ୍ୟ ଓଡ଼ିଶାର ସୀମା ବିବାଦ ନେଇ କୌଣସି କଥା ଉଲ୍ଲେଖ କରାଯାଇନଥିଲା । ଯାହାକି ଓଡ଼ିଶା ପାଇଁ କେବଳ ଅପମାନଜନକ ନଥିଲା , ତାହା ଓଡ଼ିଶାବାସୀଙ୍କୁ ଘୋର ଦୁଃଖ ଓ ଆଘାତ ଦେଇଥିଲା । ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ଏହି ମନୋଭାବର ସୁଯୋଗ ନେଇ ଆଜି ଆନ୍ଧ୍ର ଓ ପଶ୍ଚିମବଙ୍ଗ ଓଡ଼ିଶା ମାଟିକୁ ଦଖଲ କରି ଦାଦାଗିରି କରିବାକୁ ମଧ୍ୟ ପଶ୍ଚାତପଦ ହେଉନାହାଁନ୍ତି ।

ଗତ ସେପ୍ଟେମ୍ବର ୯ ତାରିଖ ଦିନ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମର ମାଟି ଉପରେ ଠିଆହୋଇ ଆନ୍ଧ୍ରପ୍ରଦେଶର ପଶୁପାଳନ ମନ୍ତ୍ରୀ ଆପାଲା ରାଜୁ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ନାଲି ଆଖି ଦେଖାଇଲେ । ୧୦ ମିନିଟରେ ICDA ଘର ଭାଙ୍ଗିଦେବାର ଧମକ ଦେଲେ, ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରଳ ଘଟଣା । ଓଡ଼ିଶା ସରକାର ଆନ୍ଧ୍ରର ସେହି ମନ୍ତ୍ରୀଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ଦଳ ଦାବି କରିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଜେ ସ୍ବରାଷ୍ଟ୍ର ମନ୍ତ୍ରୀ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକ ଡାକି ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଦଳ ଦାବି କରିଛି । ସେହିଭଳି ପଶ୍ଚିମବଙ୍ଗ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମି ଉପରେ ଓଡ଼ିଶା ମାଟିରେ ୩୦ ଫୁଟର ଏକ ପାଚେରୀ ନିର୍ମାଣ କରୁଛି । ଯାହା ଉପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ଏ ସବୁ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଏହି ସ୍ମାରକପତ୍ର ଜରିଆରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 18, 2021, 4:39 PM IST

ABOUT THE AUTHOR

...view details