ଓଡିଶା

odisha

ETV Bharat / city

ଅଟକାଇ ପାରିଲାନି ବିଦେଶୀ କମ୍ପାନୀ ଚାକିରି, ମହାମାରୀ ବେଳେ ସାଜିଛନ୍ତି ମୃତଦେହର ସାଥୀ - କୋରୋନା ସମୟରେ ମହାରଥୀ

ଟଙ୍କା ପାଇଁ ଆଜିର ଯୁଗରେ ଆପଣା ହେଉଛି ପର । ଭାଇ ବନିଯାଉଛି ଭାଇର ଶତ୍ରୁ । କିନ୍ତୁ ଏ ସବୁଠୁ ସେ ରହିଛନ୍ତି ବହୁ ଊର୍ଦ୍ଧ୍ବରେ । ଆଉ ଯୋଗାଇ ଚାଲିଛନ୍ତି ନିଃସ୍ବାର୍ଥପର ସେବା । ଏପରିକି ଲୋକଙ୍କ ସେବା ପାଇଁ ବିଦେଶୀ କମ୍ପାନୀର ମୋଟା ଅଙ୍କର ଦରମାକୁ ଛାଡ଼ି ଦୀର୍ଘ ୧୦ ବର୍ଷ ଧରି ଏଯାବତ୍‌ କରୁଛନ୍ତି ଲୋକଙ୍କ ସେବା । ଆସନ୍ତୁ ଜାଣିବା ରାଜଧାନୀର ଏହି ଦରଦୀ ବନ୍ଧୁ ଦିଲ୍ଲୀପଙ୍କ ସମ୍ପର୍କରେ...

ଦରଦୀ ମଣିଷ ଦିଲ୍ଲୀପ, ସେବାକୁ ଜୀବନର ପଣ କରି ଛାଡିଛନ୍ତି ବିଦେଶୀ ଚାକିରି
ଦରଦୀ ମଣିଷ ଦିଲ୍ଲୀପ, ସେବାକୁ ଜୀବନର ପଣ କରି ଛାଡିଛନ୍ତି ବିଦେଶୀ ଚାକିରି

By

Published : Oct 31, 2021, 6:45 PM IST

ଭୁବନେଶ୍ବର: ମରିଯାଇନି ମାନବିକତା । ଆଜି ବି କିଛି ଲୋକ ପର ଆପଣା ଭେଦଭାବରୁ ରହିଛନ୍ତି ବହୁ ଊର୍ଦ୍ଧ୍ବରେ । ଆଉ ଯୋଗାଇ ଚାଲିଛନ୍ତି ନିଃସ୍ବାର୍ଥପର ସେବା । ଯେତେବେଳେ ସାହାଯ୍ୟ ସହଯୋଗ ପାଇଁ ନିଜ ଲୋକଙ୍କ ନିକଟରେ ସମୟ ରହୁନାହିଁ ସେହି ସମୟରେ ବିନା ମୂଲ୍ୟରେ ସହଯୋଗ କରିବା ପାଇଁ ଅନେକ ଲୋକ ମଧ୍ୟ ଆଗେଇ ଆସିଛନ୍ତି । ଏମିତି କିଛି ମହାନ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଜଣେ ଦରଦି ମଣିଷ ହେଉଛନ୍ତି ଇଞ୍ଜିନିୟର ଦିଲ୍ଲୀପ ପଟ୍ଟନାୟକ । ଯିଏକି ବିଦେଶୀ କମ୍ପାନୀ ଚାକିରିର ମୋଟା ଅଙ୍କର ଦରମାକୁ ଛାଡି ନିଜ ଜୀବନକୁ ଅସହାୟ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି ।

ଦରଦୀ ମଣିଷ ଦିଲ୍ଲୀପ, ସେବାକୁ ଜୀବନର ପଣ କରି ଛାଡିଛନ୍ତି ବିଦେଶୀ ଚାକିରି

ଦିଲ୍ଲୀପ ଅନେକ ସମୟରେ ନିଜ ଜୀବନକୁ ଖାତିର ନ କରି ଲୋକଙ୍କୁ ସହଯୋଗ କରିଆସୁଛନ୍ତି । ଏମିତିକି କୋରୋନା ସମୟରେ ନିଜ ହାତରେ ଅନେକ ମୃତଦେହର କରିଛନ୍ତି ଅନ୍ତିମ ସଂସ୍କାର । ନିଜେ ଡ୍ରାଇଭିଂ କରି ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବା ବେଳେ ରାତି ରାତି ଶୋଇଛନ୍ତି ଆମ୍ବୁଲାନ୍ସ ଭିତରେ । ଅନ୍ୟପଟେ ପରିବାରର ବିରୋଧ ସତ୍ତ୍ବେ ସବୁଦିନ ପାଇଁ ବିଦେଶୀ ଚାକିରୀର ମୋହ ଛାଡ଼ି ଓଡ଼ିଶାବାସୀଙ୍କ ସେବା ପାଇଁ ୨୦୦୦ ମସିହାରେ ଭୁବନେଶ୍ବର ଆସିଥିଲେ ଦିଲ୍ଲୀପ । ପ୍ରଥମେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ରହି କିଛି ଡାକ୍ତରଙ୍କ ସହାୟତାରେ ସେ ନିଃଶୁଳ୍କ ସେବା ଯୋଗଇ ଆସୁଥିଲେ ।

ଏପରିକି ସେ ମାଗଣାରେ 13 ହଜାରରୁ ଅଧିକ ମୋତିଆବିନ୍ଦୁ ଅପରେସନ କରାଇ ସାରିଛନ୍ତି । ଏହା ସହିତ ଗ୍ରହଣ ଖଣ୍ଡିଆଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି ସେ । କୋଭିଡ଼-୧୯ ସମୟରେ ବହୁ ସମୟ ସତ୍ୟନଗର ଶ୍ମଶାନରେ କଟିଛି ଦିଲ୍ଲୀପଙ୍କର । କୋଭିଡ଼ ସମରେ ଅନେକ ମୃତଲୋକଙ୍କୁ ପୋଡ଼ିଛନ୍ତି ସେ । ଡର ଭୟକୁ ଖାତିର ନକରି ଜୀବନର ଲକ୍ଷ୍ୟକୁ ଆଗକୁ ନେଇଛନ୍ତି ଦିଲ୍ଲୀପ । ମହାମାରୀ ସମୟରେ ସେ ପାଲଟିଥିଲେ ମୃତଦେହର ସାଥୀ ।

ନିଜ ଜୀବନକୁ ବାଜି ଲଗାଇ କୋରୋନା ମୃତକଙ୍କୁ ନିଜେ କାନ୍ଧରେ ବୁହାଇ ଅନ୍ତିମ ସଂସ୍କାର କରିଥିଲେ । ଇତିମଧ୍ୟରେ 100ରୁ ଊର୍ଦ୍ଧ୍ବ ମୃତଦେହର ସଂସ୍କାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦିଲ୍ଲୀପ । ଖ୍ୟାତିସମ୍ପନ୍ନ ବିଦେଶୀ କମ୍ପାନୀର ଚାକିରି ଛାଡି ସେ ଏଯାବତ୍‌ କରିଆସୁଛନ୍ତି ରୋଗୀଙ୍କ ସେବା । ସମାଜସେବା ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିବା ସେ କୁହନ୍ତି । ଏହି ମହାନ ବ୍ୟକ୍ତିଙ୍କୁ ନେଇ ଏବେ ପରିବାର ଗର୍ବ ଅନୁଭବ କରୁଥିବା ବେଳେ ନିଜର ସେବା ପାଇଁ ସେ ବିଭିନ୍ନ ମହଲରୁ ହେଉଛନ୍ତି ପ୍ରଂଶସିତ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details