ଭୁବନେଶ୍ବର: କୋରୋନାରେ ମୃତ କୋଭିଡ ଯୋଦ୍ଧାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୀରବ ପ୍ରାର୍ଥନା କରିଛନ୍ତି । କୋରୋନା ଯୋଦ୍ଧାଙ୍କ ବଳିଦାନର ସ୍ମୃତିରରେ ରାଜ୍ୟ ସରକାର ପ୍ରାର୍ଥନା କରିଛନ୍ତି । ଏପଟେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ନାନ ଜଣାଇବାକୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ । କୋରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବାକୁ ଶପଥ ପାଠ କରାଇବା ସହିତ କୋଭିଡ୍ ନିୟମ ମାନିବାକୁ ବି ମୁଖ୍ୟମନ୍ତ୍ରୀ କରାଇଲେ ଶପଥ ପାଠ । ଏହା ସହ ସମଗ୍ର ଓଡିଶାରୁ ଏଯାବତ 25 ଜଣ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରି ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡିଶାବାସୀଙ୍କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଜୀବନକୁ ବାଜି ଲଗାଇ ସେମାନେ ଯେପରି ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା ମଧ୍ୟ କରିଛନ୍ତି। ଏହି ଲଢେଇରେ ୨୫ ଜଣ କୋଭିଡ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେହି ଯୋଦ୍ଧା ମାନଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସାରା ରାଜ୍ୟ ଆଜି ସଂଧ୍ୟା ୬ଟାରେ ଏକ ମିନିଟ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଏହି ନୀରବ ପ୍ରାର୍ଥନାରେ ସାରା ରାଜ୍ୟର ଜନସାଧାରଣ, ବିଭିନ୍ନ ଅଫିସ, ଅନୁଷ୍ଠାନର କର୍ମଚାରୀ ଭାଗ ନେଇ ଶହୀଦ କରୋନା ଯୋଦ୍ଧାଙ୍କ ପ୍ରତି ଜାତିର କୃତଜ୍ଞତା ଅର୍ପଣ କରିଛନ୍ତି ।